ଲକ୍ଷ୍ମୀ ମାଝୀ ମୃତ୍ୟୁ ମାମଲା; ଫରେନସିକ ଟିମ୍‌ର ସହଯୋଗରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

ଗୁଣୁପୁର: ବହୁଚର୍ଚ୍ଚିତ ଚନ୍ଦ୍ରପୁର ଲକ୍ଷ୍ମୀ ମାଝୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଶୁକ୍ରବାର କ୍ରାଇମବ୍ରାଞ୍ଚ ଟିମ୍ ଚନ୍ଦ୍ରପୁରଠାରେ ପହଞ୍ଚିଛନ୍ତି। ମୃତଦେହ ପଡିରହିଥିବା ସ୍ଥଳରେ ଯାଞ୍ଚ କରିବା ସହ ଟିମ୍‌ ପାଖ ପଡ଼ୋଶୀଙ୍କୁ ପଚରା ଉଚରା କରିଥିବା ଦେଖିବାକୁ ମିଳିଛି। ଏହାସହ ଲକ୍ଷ୍ମୀ ମାଝୀ ରହୁଥିବା ମା’ ଗୃହରେ ମଧ୍ୟ ଯାଞ୍ଚ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଟିମ୍ ସହ ଷ୍ଟେଟ ଫରେନସିକର ୧୦ଜାଣିଆ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ରାୟଗଡା ଓ କୋରାପୁଟରୁ ମଧ୍ୟ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛନ୍ତି। ଅପରପକ୍ଷେ ଦାୟିତ୍ବରେ ଥିବା ଥାନା ଅଧିକାରୀ ଲଳିତ କୁମାର ଦାସଙ୍କ ବଦଳରେ ନିଳକଣ୍ଠ ବେହେରା ଚନ୍ଦ୍ରପୁର ଥାନା ଅଧିକାରୀ ଭାବେ ଯୋଗଦାନ କରିଛନ୍ତି। ଏହି ଘଟଣା ବର୍ତ୍ତମାନ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଲକ୍ଷ୍ମୀ ମାଝୀଙ୍କ ଶରୀରରୁ ଜବତ ହୋଇଥିବା ନଖ, ବାଳ, ରକ୍ତ ଛିଟା ନମୁନାଗୁଡିକ ପୁଲିସ ସଂଗ୍ରହ କରି ଫରେନସିକ୍ ଲାବ୍ରୋଟୋରୀକୁ ପଠାଇବା ପାଇଁ ଗୁଣୁପୁର ଏସଡିଜେଏମଙ୍କ କୋର୍ଟ ଦାଖଲ କରି ପୁଲିସ ଲେବ୍ରୋଟୋରୀକୁ ପଠାଇଛି। ଏହି ଘଟଣା ଦିନକୁ ଦିନ ଆଦିବାସୀମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି।

Leave A Reply

Your email address will not be published.