ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଘଟଣା: ପରିବାର କଲ୍ୟାଣ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଚିକିତ୍ସା ଅବହେଳାରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଘଟଣାକୁ ରାଜ୍ୟ ସରକାର ଗୁରୁତର ଭାବେ ନେଇଛନ୍ତି। ତେବେ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଫୁଲବାଣୀ ମେଡିକାଲ କଲେଜ ଓ ହସ୍ପିଟାଲର ବିଶେଷଜ୍ଞ ଦଳକୁ ଏହାର ତଦନ୍ତ କରି ଏକ ସପ୍ତାହ ମଧ୍ୟରେ ରାଜ୍ୟକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ମେଡିକାଲ କଲେଜର ମେଡ଼ିସିନ ବିଭାଗର ପ୍ରଫେସର ପ୍ରଦୀପ କୁମାର ପାଢ଼ୀଙ୍କ ନେତୃତ୍ୱରେ ଶିଶୁ ଓ ମହିଳା ବିଭାଗର ବିଶେଷଜ୍ଞ ଅନ୍ୟମାନେ ବୁଧବାର ସଂଧ୍ୟାାରେ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତନ ତନ ତଦନ୍ତ କରିଛନ୍ତି। ସେହିଦିନ ଚିକିତ୍ସା ଦାୟିତ୍ୱରେ ରହିଥିବା ଡାକ୍ତର ମୋହିତ ବାଥୱାଲ, ନର୍ସିଂ ଅଫିସର ତୃପ୍ତିଲତା ପ୍ରଧାନ, ଆଟେଣ୍ଡାଣ୍ଟ ଓ ଅନ୍ୟ କର୍ମଚାରୀଙ୍କୁ ଘନ ଘନ ଜେରା କରିଛନ୍ତି । ଏକାଧିକ ପ୍ରଶ୍ନ ପଚାରିବା ସହ ଚିକିତ୍ସା କରାଯାଇଥିବା ସମସ୍ତ ରିପୋର୍ଟ, ଦିଆଯାଇଥିବା ମେଡିସିନ, ଇଞ୍ଜେକ୍ସନ ଆଦିର ତଦନ୍ତ କରିଛନ୍ତି ସୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ମଧ୍ୟ ତଦନ୍ତକାରୀ ଦଳ ପଚରାଉଚରା କରିଛନ୍ତି। ପ୍ରକାଶ ଯେ ମଙ୍ଗଳବାର ଭୋରରେ ସିଆଙ୍ଗବାଲି ପଞ୍ଚାୟତ ଅଞ୍ଚଳର ଗର୍ଭବତୀ ସୁନିମା ପ୍ରଧାନଙ୍କୁ ପେଟ, ଆଖି ଆଦି ବ୍ୟଥା ହେବାରୁ ତାଙ୍କ ସ୍ବାମୀ ସୁରେନ୍ଦ୍ର ପ୍ରଧାନ ଦାରିଙ୍ଗବାଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁନିମାଙ୍କ ମୃତ୍ୟୁ ହୋଇଥିଲା ଘଟଣାକୁ ନେଇ ଉତ୍ତେଜନା ଦେଖାଯିବା ସହ ସୁନିମାଙ୍କ ମୃତ ଦେହ ନେବାକୁ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୌଣସି ବ୍ୟବସ୍ଥା ନ କରିବା ଯୋଗୁ ବ୍ୟବଚ୍ଛେଦ ପାଇଁ ବିଳମ୍ବ କରିବା ଅଭିଯୋଗରେ ମୃତ ଦେହକୁ ସମ୍ପର୍କୀୟମାନେ କାନ୍ଧରେ ବୋହି ପ୍ରାୟ ୮ କିମି ଦୂର ଚାଲି ଚାଲି ଘରେ ପହଞ୍ଚିଥିଲେ। ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକ କୌଣସି କଥା ଶୁଣିନଥିଲେ। ତେବେ ଘଟଣାଟି ପ୍ରଘଟ ହେବା ପରେ ରାଜ୍ୟ ସରକାର ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଇଥିବା ଜଣାପଡିଛି।

057 code kasam
Leave A Reply

Your email address will not be published.