ଜୟପୁର: କୋରାପୁଟ ସହିଦ ଲକ୍ଷ୍ଣଣ ନାୟକ ହସପିଟାଲରେ ୬ ରୋଗୀଙ୍କ ମୃତ୍ୟୁ ଘଟଣାରେ ତନାଘନା । ମେଡିକାଲରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିଛନ୍ତି ।
ସେହିପରି SCBର ଆଉ ଦୁଇ ଜଣ ମେଡିକାଲ ଯିବେ। ତଦନ୍ତ ପରେ ଆଜି ଆସିବ DMETଙ୍କ ଯାଞ୍ଚ ଓ ପୋଷ୍ଟମୋର୍ଟମ ରିପୋର୍ଟ । ୫ ଜଣିଆ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି ଡିଏମଇଟି। ଭୁଲ ଇଞ୍ଜେକସନରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି । ICUରେ ୩ ଜଣ ଓ ୱାର୍ଡରେ ୨ ରୋଗୀଙ୍କ ଜୀବନ ଯାଇଛି । ମୃତକ ମାନେ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଅଞ୍ଚଳର। ହସ୍ପିଟାଲର ଆଇସିୟୁ ଓ ସର୍ଜରୀ ବେଡ଼ରେ ଚିକିତ୍ସିତ ହେଉଥିଲେ ।

ଅପରେସନ ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିଲା । ତେବେ ରାତି ଦାୟିତ୍ଵରେ ଥିବା କର୍ମଚାରୀ ଦ୍ବାରା ନୋରେପିନେଫ୍ରିନ୍ ଇଞ୍ଜେକ୍ସନ ଦେବା ପରେ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଥିବା ମୃତକଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି ।

ଇଞ୍ଜେକ୍ସନ୍ ଦେବାର ୧୫ ମିନିଟ ଭିତରେ ଆଇସିୟୁରେ ତିନି ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏପଟେ ମୃତ ରୋଗୀ ମାନେ ଗୁରୁତର ଥିଲେ, ଇଞ୍ଜେକ୍ସନ ଯୋଗୁଁ ମୃତ୍ୟୁ ହୋଇନଥାଇପାରେ ବୋଲି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ସଫେଇ ଦେଇଛନ୍ତି ।
ଏପଟେ ଆଜି ତଦନ୍ତ କରିବ ଡିଏମଇଟି ତଦନ୍ତକାରୀ ଟିମ l ବୁଧବାର ରାତିରେ କଲେଜ ପରିସରରେ ପହଁଚିଥିଲେ ଏମକେସିଜି ତଦନ୍ତକାରୀ ଟିମ୍ । ମେଡିକାଲ ସୁପ୍ରିଟେଣ୍ଡେଣ୍ଟଙ୍କୁ ପଚରାଉଚରା କରିଥିଲେ । ଆଜି କଟକ ଏସସିବି ଟିମ୍ ପହଁଚିବା ପରେ ଉଭୟ ଟିମ୍ ପଚରାଉଚରା ସହ କାଗକ ପତ୍ର ଯାଞ୍ଚ କରିବ । କାର୍ଯ୍ୟରତ ନର୍ସ ଡାକ୍ତର ଓ ମେଡିକାଲ ସୁପରିଟେଣ୍ଡଙ୍କ ସହ ଅଧିକ ଆଲୋଚନା କରିବ । ଗତକାଲି ଘଟଣା ସହ ଜଡିତ ବିଭିନ୍ନ ସାମ୍ପୁଲକୁ ମଧ୍ୟ ପରୀକ୍ଷା କରିବା ନେଇ ସୂଚନା ରହିଛି ।
ଯଦିଓ ହସ୍ପିଟାଲ କର୍ତ୍ତୃପକ୍ଷ ଅବହେଳାକୁ ଅସ୍ୱୀକାର କରୁଛନ୍ତି, କିନ୍ତୁ ଏପଟେ ନୋରେପିନେଫ୍ରିନ୍ ନାମକ ଔଷଧର ପ୍ରୟୋଗ ଉପରେ ପ୍ରଶ୍ନ ଉଠିଛି । ନୋରେପିନେଫ୍ରିନ୍ ଇଞ୍ଜେକ୍ସନ୍ କ’ଣ? ଆସନ୍ତୁ ଜାଣିବା । ରେପିନେଫ୍ରିନ୍ ହେଉଛି ଏକ ଔଷଧ ଯାହା ଗୁରୁତର ରୋଗୀଙ୍କୁ ଦିଆଯାଏ । ଯେଉଁମାନଙ୍କର ରକ୍ତଚାପ ବହୁତ କମିଯାଏ ତାଙ୍କୁ ଏହି ଇଞ୍ଜେକ୍ସନ ଦିଆଯାଏ । ଏହା ଶରୀରରେ ରକ୍ତନଳୀ ଗୁଡ଼ିକୁ ସଂକୁଚିତ କରି ରକ୍ତଚାପ ବୃଦ୍ଧି କରେ । ହୃତପିଣ୍ଡକୁ ଅଧିକ ଶକ୍ତିଶାଳୀ ଭାବେ କାମ କରିବାକୁ ସାହାଯ୍ୟ କରେ । ନୋରେପିନେଫ୍ରିନ୍ ଇଞ୍ଜେକ୍ସନ୍ ସାଧାରଣତଃ ଆଇସିୟୁରେ ଥିବା ରୋଗୀଙ୍କୁ ଦିଆଯାଇଥାଏ । ଯେଉଁମାନେ ହୃଦରୋଗୀ ବା ଗୁରୁତର ଅସୁସ୍ଥ ହୋଇ ସଙ୍କଟଜନକ ଅବସ୍ଥାରେ ଥାଆନ୍ତି ସେମାନଙ୍କୁ ଏହି ଇଞ୍ଜେକ୍ସନ ଦିଆଯାଇଥାଏ।
ନୋରେପିନେଫ୍ରିନ୍ ଇଞ୍ଜେକ୍ସନ୍ ଭାବେ ଦିଆଯାଏ ଏବଂ ଏହାର ଡୋଜ୍ ରୋଗୀର ଅବସ୍ଥା ଅନୁସାରେ ନିର୍ଦ୍ଦିଷ୍ଟ ହେବା ଆବଶ୍ୟକ । ଏହା ଅତ୍ୟନ୍ତ ଶକ୍ତିଶାଳୀ ଔଷଧ, ତେଣୁ ଏହାର ମାତ୍ରା ଓ ପ୍ରୟୋଗ ସମୟ ଡାକ୍ତରଙ୍କ କଡ଼ା ତତ୍ତ୍ୱାବଧାନରେ ହେବା ଦରକାର । ଅତ୍ୟଧିକ ଡୋଜ୍ ବା ଭୁଲ୍ ପ୍ରୟୋଗ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଯେପରି ହୃଦସ୍ପନ୍ଦନ ଅନିୟମିତ ହେବା, ଅତ୍ୟଧିକ ରକ୍ତଚାପ, କିମ୍ବା ରକ୍ତ ସଞ୍ଚାଳନ କମିଯିବା ଭଳି ସମସ୍ୟା ସୃଷ୍ଟି କରିପାରେ ।
