ବୁର୍ଲା ଭୀମସାରରେ ପ୍ରଥମ ବ୍ଲାକ ଫଙ୍ଗସ ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି ବୋଲି ଅନୁମାନ କରାଯାଉଛି । ଆଉ ୭ ଜଣ ବ୍ଲାକ ଫଙ୍ଗସ ସନ୍ଦିଗ୍ଧ ଭିମସାରରେ ଚିକିତ୍ସିତ ହେଉଥିବା ଭୀମସାର ଅଧିକ୍ଷକ ସୂଚନା ଦେଇଛନ୍ତି । ତେବେ ମୃତକ ଜଣଙ୍କର ନମୁନା ପରୀକ୍ଷା ପାଇଁ ଭୀମସାର କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ପଠାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ବ୍ଲାକ ଫଙ୍ଗସ କି ନୁହଁ ସ୍ପଷ୍ଟ ହୋଇନାହିଁ । ଅନ୍ୟ ତିନିଜଣ ସନ୍ଦିଗ୍ଧଙ୍କ ମଧ୍ୟ ନମୁନାକୁ ଭୁବନେଶ୍ୱରକୁ ପରୀକ୍ଷା ପାଇଁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ହିଁ ଏହି ସମସ୍ତ ରୋଗୀ ବ୍ଲାକ ଫଙ୍ଗସରେ ପୀଡିତ କି ନୁହଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ ସୂଚନା ଦେଇଛନ୍ତି । ପ୍ରଥମରୁ ବରଗଡ଼ ଜିଲା ବରପାଲି ଅଞ୍ଚଳର ଜଣେ ରୋଗୀ ବ୍ଲାକଫଙ୍ଗସରେ ସଂକ୍ରମିତ ହୋଇ କର୍ଣ୍ଣ, ନାଶା ଓ ଗଳା ବିଭାଗରେ ଭର୍ତ୍ତି ହେବା ସହିତ ତାଙ୍କର ଅସ୍ତ୍ରୋପଚାର ମଧ୍ୟ ହୋଇଯାଇଛି। ତାଙ୍କର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଜଣାପଡ଼ିଛି। ବରପାଲିର ରୋଗୀ ଜଣକ ଗୁଜୁରାଟରୁ ଫେରିଥିଲେ ଓ ସେ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ଭିମ୍ସାରରେ ଚିକିତ୍ସିତ ୭ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମଧ୍ୟରୁ କର୍ଣ୍ଣ, ନାଶା ଓ ଗଳା ବିଭାଗରେ ୪ ଜଣ ଏବଂ ସ୍ବତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ)ରେ ୩ ଜଣ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତେବେ କେବଳ ବରଗଡ଼ ଜିଲା ବରପାଲି ଅଞ୍ଚଳରୁ ଆସିଥିବା ରୋଗୀକୁ ଆମ୍ଫୋଟେରିସିନ-ବି ଇଞ୍ଜେକସନ ମିଳିଥିବା ବେଳେ ଅନ୍ୟ ରୋଗୀମାନଙ୍କୁ ଏହି ଇଞ୍ଜେକ୍ସନ ମିଳିପାରି ନ ଥିବା ଜଣାପଡ଼ିଛି। ବରପାଲିର ରୋଗୀକୁ ଛାଡ଼ିଦେଲେ ଅନ୍ୟମାନଙ୍କ ଅବସ୍ଥା ଗୁରୁତର ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।