ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

କଣ୍ଟାବାଞ୍ଜି: ଘଞ୍ଜ ଜଙ୍ଗଲ ଭିତରେ ମିଳିଲା ମୃତଦେହ । ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର ହେଲା ମରଶରୀର । ୧୦ ଦିନ ହେବ ନିଖୋଜ ଥିଲେ ଯୁବକ । ଏବେ ରହସ୍ୟ ଘେରରେ ଯୁବକଙ୍କ ମୃତ୍ୟୁ । ବୟସ ବେଶୀ ନୁହେଁ ମାତ୍ର ୨୦ ବର୍ଷର ଥିଲେ କୁଞ୍ଜ ମାଝୀ । ଘରର କୁଳ ନନ୍ଦନ ଥିଲେ । ୧୦ ଦିନ ତଳେ ଘରୁ ଯାଇଥିଲେ ଯେ ଆଜି ତାଙ୍କ ମରଶରୀର ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର ହୋଇଛି । ସମସ୍ତେ ସ୍ତବ୍ଧ । କେମିତି କୁଞ୍ଜଙ୍କ ମୃତ୍ୟୁ ହେଲା ? ନା କିଏ ଜଙ୍ଗଲ ଭିତରକୁ ଡାକିନେଇ ତାଙ୍କର ଜୀବନ ନେଇଛି ? ଏମିତି କିଛି ସନ୍ଦେହ କରି ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଆଜି କଣ୍ଟାବାଞ୍ଜି ପୁରୁଣା ସିମେଣ୍ଟ ଫ୍ୟାକ୍ଟ୍ରି ଥିବା ଶାଗୁଆନ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ଜଣେ ଯୁବକଙ୍କ ମୃତଦେହ ମିଳିବା ପରେ ସାରା ଗାଁରେ ଚହଳ ପଡ଼ିଛି । ମୃତକ ଜଣକ ଡୁମେର ଚୁଆଁ ଗାଁର କୁଞ୍ଜ ମାଝି ବୋଲି ତାର ପରିବାର ଲୋକ ଚିହ୍ନଟ କରିଛନ୍ତି । କୁଞ୍ଜ ପ୍ରାୟ ୧୦ ଦିନ ତଳେ ଘରୁ ଖାଇ ପିଇ ଅଳ୍ପ ସମୟ ପାଇଁ ବାହାରକୁ ଯାଇଥିଲେ । କିନ୍ତୁ ପାଖାପାଖି ୧୦ ଦିନ ହେବ ତାଙ୍କର ଖୋଜ ଖବର ନଥିଲା । କୁଞ୍ଜ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ । ପୁଅ ନିଖୋଜ ଥିବା ନେଇ ପରିବାର ଲୋକ ଭାଙ୍ଗି ପଡ଼ିଥିବାବେଳେ ହଠାତ ଗାଁରୁ ଯେଉଁ ଖବର ଆସିଲା ତାକୁ ନେଇ ସ୍ଥାଣୁ ପାଲଟି ଯାଇଥିଲେ ଘର ଲୋକେ । ତେବେ ଆଜି କିଛି ଲୋକ କୂଅରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଜାଣିବା ପରେ କୁଞ୍ଜଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ ଆସି କୁଞ୍ଜଙ୍କ ମୃତଦେହ ଚିହ୍ନଟ କରିଥିଲେ । କୁଞ୍ଜଙ୍କ ମୃତଦେହ ଦେଖି ଅବାକ ହୋଇଯାଇଥିଲେ ଘର ଲୋକେ । ସୁସ୍ଥ ପିଲାଟା ତାଙ୍କର ଖାଇ ପିଇ ଘରୁ ବାହାରିଥିଲା । କିନ୍ତୁ ଏମିତି ଅଚାନକ ପୁଅର ମରଶରୀରକୁ ଦେଖିବେ କେହି କେବେ ଭାବି ବି ନଥିଲେ ।

Umasankar Adv
Leave A Reply

Your email address will not be published.