ପୀଡିତଙ୍କ ସମସ୍ୟା ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସାମୁଦ୍ରିକ ବାତ୍ୟା “ୟଶ୍” ଦ୍ୱାରା ପ୍ରଭାବିତ ହୋଇଥିବା ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପଞ୍ଚାୟତ ବୁଲି ଲୋକମାନଙ୍କ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମେ ଜିଲ୍ଲାର ଶ୍ରୀକୋଣା ପଞ୍ଚାୟତର ଚାରିଗୋଛିଆ ଗାଁ ଏବଂ ଆଖପାଖ ଅଞ୍ଚଳର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ସମସ୍ୟା ବୁଝିଥିଲେ। ଏହି ସମୟରେ ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ଅବସରରେ ଶ୍ରୀକୋଣା ପଞ୍ଚାୟତର ଚାରିଗୋଛିଆ ଗ୍ରାମରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବାତ୍ୟା ପ୍ରପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ। ତେବେ ଏହି ଅଞ୍ଚଳରେ ବୁଲି ଲୋକମାନଙ୍କ ସହ କଥା ହେବା ପରେ ସେ କହିଥିଲେ ଯେ ବିଶେଷ ଭାବରେ ପରିବେଶକୁ ଧ୍ୟାନରେ ରଖି ବିଜ୍ଞାନ ଏବଂ ଟେକ୍ନୋଲୋଜିକୁ ଉପଯୋଗ କରି ଲମ୍ବା ସମୟ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳର ଜନବସତି ଏବଂ ଜୀବନଜୀବିକାର ସୁରକ୍ଷା କିପରି ହୋଇପାରିବ ସେ ନେଇ ରାଜ୍ୟ ସରକାର ଆବଶ୍ୟକ ଖସଡ଼ା ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ଏଥିରେ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ । ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏ ଯାଏଁ ବିଜୁଳି ଆସିନାହିଁ । ବାତ୍ୟା ଓ ବନ୍ୟାରେ ନିରନ୍ତର ବିଜୁଳି ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବା ଦରକାର । ଏହାବ୍ୟତିତ ବାତ୍ୟା ଏବଂ ବନ୍ୟାକୁ ପ୍ରତିରୋଧ କରିବା ପାଇଁ ଆଶ୍ରୟ ସ୍ଥଳ ଠାରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ମଜବୁତ୍ କରିବାକୁ ପଡ଼ିବ । ଏହା ସହିତ ସେ କହିଥିଲେ ଚିଙ୍ଗୁଡ଼ି, ମାଛ ଓ ପନିପରିବା ଚାଷ ଏହି ଅଞ୍ଚଳର ଲୋକଙ୍କ ପ୍ରମୁଖ ଜୀବନଜୀବିକା । ବାତ୍ୟା କାରଣରୁ ଅଧିକ ଚିଙ୍ଗୁଡ଼ି ଘେରି ନଷ୍ଟ ହୋଇଯାଇଥିବା ବେଳେ ଚାଷ ମଧ୍ୟ ପ୍ରଭାବିତ ହୋଇଛି । ଏହାର ସିଧା ପ୍ରଭାବ ସ୍ଥାନୀୟ ଅର୍ଥନୀତି ଉପରେ ପଡ଼ିଛି।

Leave A Reply

Your email address will not be published.