ପଙ୍ଗୁ ହୋଇଯିବ ଏମ୍‌କେସିଜି

ଓଡ଼ିଶା ସମାଚାର (ମିନତୀ ବଳ) : ଦକ୍ଷିଣ ଓଡ଼ିଶାର ସର୍ବବୃହତ୍‌ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ଅଧିକାଂଶ ସମୟ ସରକାରୀ ଅବହେଳାର ଶିକାର ହୋଇଆସିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ମେଡିକାଲ କଲେଜ ଖୋଲିବାପରେ ଏଠାରୁ ବହୁ ଡାକ୍ତର ଓ ବିଶେଷଜ୍ଞଙ୍କୁ ବଦଳି କରାଯାଇଛି। କିନ୍ତୁ ତାଙ୍କ ସ୍ଥାନରେ ଶତପ୍ରତିଶତ ନୂତନ ନିଯୁକ୍ତି ଦିଆଯାଉନାହିଁ। ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଏମ୍‌କେସିଜି ମେଡିକାଲର ୬ଜଣ ସହକାରୀ ପ୍ରଫେସର ପ୍ରଫେସର ପଦବିକୁ ପଦୋନ୍ନତି ପାଇଛନ୍ତି। ତନ୍ମଧ୍ୟରୁ ୫ଜଣଙ୍କୁ ଅନ୍ୟ ମେଡିକାଲକୁ ବଦଳି କରାଯାଇଥିବା ବେଳେ ବଦଳରେ ଜଣେ ମାତ୍ର ପ୍ରଫେସର ଏମ୍‌କେସିଜି ମେଡିକାଲକୁ ଆସିଛନ୍ତି। ସେହିପରି ଶିଶୁରୋଗ ବିଭାଗର ୩ଜଣ ଡାକ୍ତରଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଛି। ଅଭିଜ୍ଞ ଡାକ୍ତରଙ୍କୁ ଏଠାରୁ ବଦଳି କରାଯାଉଥିବା ବେଳେ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଉନାହିଁ। ଏଣୁ ଏମ୍‌କେସିଜି ମେଡିକାଲକୁ ଜାଣିଶୁଣି ପଙ୍ଗୁ କରାଯାଉଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ସରକାରଙ୍କ ଏଭଳି ଆଭିମୁଖ୍ୟ ଯୋଗୁଁ ଆଗାମୀ ଦିନରେ ଜନଅସେନ୍ତାଷ ମୁଣ୍ଡ ଟେକିବାର ସମ୍ଭାବନା ବି ଦେଖାଦେଇଛି।

Leave A Reply

Your email address will not be published.