ଆସନ୍ତାକାଲି ଠାରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ

ଓଡିଶା ସମାଚାର (ମିନତୀ ସାନ) : ବାହୁଡା ପାଇଁ ପୁରୀରେ ଜୋର ଧରିଲା ପ୍ରସ୍ତୁତି । ଆସନ୍ତାକାଲିଠାରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ ହେବ । ସିଲ୍ ହେବ ପୁରୀକୁ ସଂଯୋଗ କରୁଥିବା ତିନୋଟି ପ୍ରବେଶ ପଥ । ପୁରୀ ବଡଦାଣ୍ଡକୁ ଲାଗି କରି ରହିଥିବା ଘର ଗୁଡିକ ଉପରେ ଡ୍ରୋନ୍ ଜରିଆରେ ନଜର ରଖାଯିବ । ସେହିପରି ବଡଦାଣ୍ଡକୁ ଲାଗି ରହିଥିବା ଘର ଗୁଡିକର ପରବାର ଲୋକଙ୍କ ପ୍ରସ୍ତୁତ ହେଉଛି ତାଲିକା । ପରିବାର ସଦସ୍ୟ ବାଦ୍ ଅନ୍ୟ କୌଣସି ଲୋକଙ୍କ ଉପସ୍ଥିତି ନଜର ଆସିଲେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁରୀ ପ୍ରଶାସନ ସ୍ପଷ୍ଟ କରିଛି । ପୁରୀରେ ବଡଦାଣ୍ଡ ହୋଟେଲ, ଲଜ୍, ଧର୍ମଶାଳା ଆଜିଠୁ ୪ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ରଥଯାତ୍ରା ସମୟରେ ବିଶୃଙ୍ଖଳା ଯେପରି ପୁନରାବୃତ୍ତି ନହେବ, ସେଥିପ୍ରତି ବାହୁଡା ଆଗରୁ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇଛି ପୁରୀ ପ୍ରଶାସନ । ବଡଦାଣ୍ଡକୁ ଲାଗି କରି ରହିଥିବା ଘର ଗୁଡିକରୁ ବାହାରି ଯେପରି କେହି ରଥଯାତ୍ରା ଦର୍ଶନ କରିପାରିବେ ନାହିଁ, ସେଥିପ୍ରତି କଡା ନଜର ଦିଆଯାଇଛି । ଏହି ଘର ଗୁଡିକ ଉପରେ ନଜର ରଖିବାକୁ ପୁରୀ ପୋଲିସ ଡ୍ରୋନ୍ ଉଡାଇବାକୁ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.