ଅଧିକ ସସପେନ୍ସ ଘେରକୁ ଚାଲି ଯାଉଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା

ସୋର : ଦିନକୁ ଦିନ ଅଧିକ ସସପେନ୍ସ ଘେରକୁ ଚାଲି ଯାଉଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଗତକାଲି ଗୋଟିଏ ଦିନରେ ପାରଳାଖେମୁଣ୍ଡି ପୁଲିସ୍‌  ଓ କ୍ରାଇମବ୍ରାଞ୍ଚ ଟିମ୍‌ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ରୋଷେୟା ମନ୍ନଥ କୁମ୍ଭଙ୍କୁ ଜେରା କରି କ୍ଲିନଚିଟ୍‌ ଦେଇସାରିଛନ୍ତି। ହେଲେ ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ସୌମ୍ୟଙ୍କ ପରିବାର ଲୋକ । ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ବଡ଼ ଭାଇ  ରଂଜନ ମହାପାତ୍ର  କହିଛନ୍ତି, ପୁଲିସ୍‌ ସମସ୍ତଙ୍କୁ କ୍ଲିନ ଚିଟ୍‌ ଦେଉଥିଲେ ବି ସତ କଥା ମୋ ଭାଇ ପୋଡ଼ି କି ମରିଛି। ହେଲେ କେଉଁ ଲିଙ୍କରେ ସେ ମରିଛି ତାକୁ ଖୋଜି ବାହାର କରିବା ପୁଲିସ୍‌ର କାମ। ଆତ୍ମହତ୍ୟା ଯଦି କରିଛି, ସେଥିପାଇଁ କାରଣ ବି ଦରକାର। ଘରେ ସ୍ୱାମୀ ସ୍ତ୍ରୀ ଥିଲେ  ସ୍ୱାମୀ ପୋଡ଼ିଗଲା, ସ୍ତ୍ରୀ ଜାଣିପାରିଲାନି କିପରି । ଘଟଣା ଘଟିବା ପରେ ଘରର ଚାବି ବିଭାଗ ପାଖରେ କାହିଁକି ରହିଥିଲା।  ସୌମ୍ୟଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ ନିଆଯାଇଥିଲା । ବ୍ରହ୍ମପୁର ରେଫର ଲେଖାହୋଇ ପୁଣି କଟାଯାଇ କଟକ ପଠାଯିବା କାରଣ କ’ଣ ।  ବଲାଙ୍ଗିରରେ ବ୍ୟାଚଲର ପାର୍ଟି କଥା କହୁଥିଲୁ, ତାହା ବି ସତ ପ୍ରମାଣିତ ହେଲା ବୋଲି କହିଛନ୍ତି  ରଞ୍ଜନ। “ପରିବାର ଚାପ ସମ୍ପର୍କରେ ସୌମ୍ୟ ପୂର୍ବରୁ ଆମକୁ କିଛି କହି ନ ଥିବା ବେଳେ ଏବେ ସବୁ ସତ ପଦାକୁ ଆସୁଛି।  ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ଆମେ ପୂର୍ବରୁ କହି ଆସୁଛୁ।   ହେଲେ ସମ୍ପର୍କ ଭଲ ଥିବା ବିଦ୍ୟା ତଥା ତାଙ୍କ ବାପାମା’ କହି ଆସୁଛନ୍ତି। ଏପରିକି ନିଜ କଥା ପ୍ରମାଣିତ କରିବାକୁ ଟାଇଟନିକ ପୋଜ୍‌ର ଫଟୋ ବି ଛାଡ଼ିଛନ୍ତି। ହେଲେ ଏବେ ଯେଉଁ ଚିଠି, ଡାଏରୀ ବାହାରୁଛି ତାହା କ’ଣ ଦର୍ଶାଉଛି। ମିଛା ଧରା ପଡ଼ିଯିବା ପରେ କଥା ବୁଲାଉଛନ୍ତି ବିଦ୍ୟାଙ୍କ ବାପା। କହୁଛନ୍ତି ସମ୍ପର୍କ ପ୍ରଥମେ ଟିକେ ଖରାପ ଥିବା ବେଳେ ପରେ ସବୁ କିଛି ଠିକ୍‌ ହୋଇ ଯାଇଥିଲା। ଠିକ୍‌ ହୋଇଯାଇଥିଲା ଯଦି ମୋ ଭାଇ ମଲା କିପରି ବୋଲି ପ୍ରଶ୍ନ କରିଛନ୍ତି ରଞ୍ଜନ । ପରିବାର ପ୍ରେସର ସମ୍ପର୍କରେ ପୂର୍ବରୁ ସୌମ୍ୟ ଆମକୁ କିଛି କହି ନ ଥିବା ବେଳେ ଏବେ ପ୍ରମାଣ ବାହାରୁଛି। କେଉଁ ଲିଙ୍କରୁ ସେ ମରିଛି, ତାହା ଖୋଜି ବାହାର କରିବା ପୁଲିସ୍‌ର କାମ ବୋଲି ସେ କହିଛନ୍ତି। ଏନେଇ ସୌମ୍ୟଙ୍କ ସମ୍ପର୍କୀୟ ସାନ ଭାଇ ପ୍ରିୟବ୍ରତ ପଣ୍ଡା କହିଛନ୍ତି,   ପୁଲିସ୍‌ କ’ଣ ଦେଖି ସମସ୍ତଙ୍କୁ କ୍ଲିନ ଚିଟ୍‌ ଦେଲା ତାହା ଆମେ ବୁଝିପାରୁନୁ। ବାହାଘର ପରେ ଭାଇ ମାନସିକ ଅବସାଦରେ ରହୁଥିଲା। ଏହା ପୂର୍ବ ଯୋଜନା ମୁତାବକ ମର୍ଡର ବୋଲି ସମସ୍ତେ ଜାଣିଛନ୍ତି। ଜଣେ ମରିଛି, ଆଉ ଜଣେ ସେଠାରେ ଥିଲେ, ତାଙ୍କୁ ପ୍ରଥମେ ଧରିବା ଦରକାର। ଏହାପଛରେ ବହୁ ଲୋକଙ୍କ ହାତ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି।

Leave A Reply

Your email address will not be published.