ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୁଇ ଜଣ ନାବାଳକ ଜଣେ ବ୍ୟକ୍ତିଙ୍କ ଆଇଫୋନ ଚୋରି କରିବା ପାଇଁ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ ତା’ପରେ ସେହି ବ୍ୟକ୍ତିଙ୍କ ମୁଣ୍ଡକୁ ପଥରରେ ଚୂର୍ଣ୍ଣ କରିଛନ୍ତି ବୋଲି ପୋଲିସ କହିଛି । କାରଣ ଆଇଫୋନ ଚୋରି କରିଲେ “ଉଚ୍ଚମାନର ରିଲ୍” ତିଆରି କରାଯାଇପାରିବ । ଯାହା ଦ୍ୱାରା ଅଧିକ ଲାଇକ୍ ମିଳିପାରିବ। ପୋଲିସ ଏହି ଘଟଣାରେ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅତିରିକ୍ତ ପୋଲିସ ଅଧୀକ୍ଷକ ରାମାନନ୍ଦ ପ୍ରସାଦ କୁଶୱାହା କହିଛନ୍ତି ଯେ ଘଟଣାଟି ଜୁନ୍ ୨୦ ରାତିରେ ହୋଇଛି ।
ଖବର ଅନୁସାରେ “ଶାଦାବ ଜୁନ୍ ୨୧ ତାରିଖରେ ନିଖୋଜ ହୋଇଥିବା ରିପୋର୍ଟ ହୋଇଥିଲା । ସେହି ଦିନ ତାଙ୍କ ମୃତଦେହ ଗାଁ ବାହାରେ ଥିବା ଏକ ଗୁଆ ବଗିଚାରେ ଥିବା ଏକ କ୍ଷୟକ୍ଷତି ନଳକୂପ ନିକଟରେ ମିଳିଥିଲା। ଶାଦାବର ଗଳାକୁ ଛୁରୀରେ କାଟି ଥିବା ଚିହ୍ନ ଥିଲା ଏବଂ ତାଙ୍କ ମୁଣ୍ଡକୁ ଇଟାରେ ଛେଚି ଦିଆଯାଇଥିବା କହିଥିଲେ ଅଧିକାରୀ ।

ତଦନ୍ତ ଅନୁସାରେ ପୋଲିସ ଗତକାଲି ଦିନ ୧୪ ଏବଂ ୧୬ ବର୍ଷ ବୟସର ଦୁଇ ଜଣ ନାବାଳକଙ୍କୁ ଗିରଫ କରିଛି। “ପଚରାଉଚରା ସମୟରେ, ଦୁଇ ନାବାଳକ ଅପରାଧ ସ୍ୱୀକାର କରି କହିଥିଲେ ଯେ ଭଲ ରିଲ୍ ତିଆରି କରିବା ପାଇଁ ସେମାନଙ୍କୁ ଏକ ଉଚ୍ଚମାନର ମୋବାଇଲ୍ ଫୋନ୍ ଆବଶ୍ୟକ ଥିଲା । ସେମାନେ ଚାରି ଦିନ ପୂର୍ବରୁ ହତ୍ୟା ଯୋଜନା କରିଥିବା ସ୍ୱୀକାର କରିଥିଲେ । ଶାଦାବର ଆଇଫୋନକୁ ଟାର୍ଗେଟ କରିଥିଲେ ଏହି ଦୁଇ ନାବାଳକ ବୋଲି ପୋଲିସ ଅଧିକାରୀ କହିଛନ୍ତି।
“ଘଟଣା ରାତିରେ ସେମାନେ ଶାଦାବଙ୍କୁ ରିଲ୍ ତିଆରି କରିବା ବାହାନାରେ ଗାଁ ବାହାରେ ଏକ ନିର୍ଜନ ଅଞ୍ଚଳକୁ ନେଇଯାଇଥିଲେ । ସେଠାରେ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ, ତାଙ୍କ ଗଳା କାଟି ଦେଇଥିଲେ ଏବଂ ତା’ପରେ ଇଟାରେ ତାଙ୍କ ମୁଣ୍ଡକୁ ଚୂର୍ଣ୍ଣ କରିଥିଲେ,” ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି । ପୋଲିସ ଶାଦାବର ଆଇଫୋନ, ହତ୍ୟାରେ ବ୍ୟବହୃତ ଛୁରୀ ଏବଂ ଇଟା ଜବତ କରିଛି ।
ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୩(1) (ହତ୍ୟା) ଏବଂ୨୩୮ (ପ୍ରମାଣ ଲୁଚାଇବା) ଅନୁଯାୟୀ ଦୁଇ ନାବାଳକ ଅଭିଯୁକ୍ତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ଚାରି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା । ମୃତଦେହ ମିଳିବା ପରେ ନାବାଳକ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ପ୍ରଥମେ ଘରୁ ପଳାଇ ଯାଇଥିଲେ। ଗୁରୁବାର ଉଭୟ ନାବାଳକଙ୍କୁ ଅଟକ ରଖାଯାଇଥିଲା।ଅସ୍ତ୍ର ଲୁଚାଇବାରେ ସାହାଯ୍ୟ କରିଥିବା ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ଜଣେଙ୍କୁ ଶୁକ୍ରବାର ଗିରଫ କରାଯାଇ ଜେଲ ପଠାଯାଇଛି । ଚତୁର୍ଥ ବୟସ୍କ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ପୋଲିସ କହିଛି ।