୨୦ ସୁଦ୍ଧା ବାହାରିବ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ

କଟକ : ଆସନ୍ତା ୨୦ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ । ଏଥିଲାଗି ଜୋରଦାର ଉଦ୍ୟମ  ଚାଲିଛି।  ଚଳିତ ବର୍ଷ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ସତ୍ତ୍ୱେ   ଗତବର୍ଷଠାରୁ ଶୀଘ୍ର ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ।  ଅଫଲାଇନ୍‌ ପରୀକ୍ଷା ଦେଇଥିବା ପିଲାଙ୍କୁ ବି ନାମ ଲେଖା ପାଇଁ ଯଥେଷ୍ଟ ସୁଯୋଗ ମିଳିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏନେଇ ମନ୍ତ୍ରୀ କହିଛନ୍ତି, ଗତ ବର୍ଷ କିଛି ସମସ୍ୟା ନ ଥାଇ ଅଗଷ୍ଟ ୨୧ରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଏହାର ସପ୍ତାହକ ପୂର୍ବରୁ ଆରମ୍ଭ ହେବ ଆଡ଼ମିଶନ ପ୍ରକ୍ରିୟା । ଅପରପକ୍ଷେ, ମାଟ୍ରିକ ଅଫଲାଇନ୍‌ ଖାତା ଦେଖା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ୨୦ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ। ଏଥିପାଇଁ ବୋର୍ଡ  ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।  ଖୁବ୍‌ ଶୀଘ୍ର ତାରିଖ ଘୋଷଣା କରାଯିବ । ଅଫଲାଇନ୍‌ ପରୀକ୍ଷା ଦେଇଥିବା କୌଣସି ପିଲା ଯେପରି ଯୁକ୍ତ୨ରେ ଆଡମିଶନ ପାଇବାରୁ ବଞ୍ଚିତ ନ ହୁଅନ୍ତି ତା’ ଉପରେ ତିକ୍ଷଣ ଦୃଷ୍ଟି ରଖିଛୁ। ଏପରିକି     ଆବଶ୍ୟକ ପଡ଼ିଲେ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା  ଗୋଟିଏ ମାସ ପାଇଁ  ରଖିବାକୁ  ସ୍ଥିର କରିଛୁ ବୋଲି କହିଛନ୍ତି ମନ୍ତ୍ରୀ। ଏଥର ୫୫ ହଜାରରୁ ଅଧିକ ସିଟ ବୃଦ୍ଧି ପାଇଁ କଲେଜଗୁଡିକ ଆବେଦନ କରିଛନ୍ତି । ତେବେ ବିଜ୍ଞାନ ପାଇଁ ଲାବୋରେଟୋରୀ ସମସ୍ୟା ହୋଇପାରେ । ତେଣୁ ଏସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି। ଗତକାଲି ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମଧ୍ୟ ବୈଠକ ବସିଥିଲା । ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି । ସେମାନେ ଲାବୋରେଟୋରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଥିବା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.