ଡାଟା ଏଣ୍ଟ୍ରି ଅପରେଟରଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ ହାଇକୋର୍ଟ

କଟକ, ଡିସେମ୍ବର୨୨: ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ରେ ଠିକା ନିଯୁକ୍ତି ପାଇଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କ ନିଯୁକ୍ତିକୁ ନିୟମିତ କରିବାକୁ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏସ୍‌ଟିଏ ତଥା ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରାୟ ୩୫୦ ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କ ନିଯୁକ୍ତିକୁ ଆସନ୍ତା ୩ ମାସ ମଧ୍ୟରେ ନିୟମିତ ସହ ସମସ୍ତ ସୁବିଧା ଯୋଗାଇ ଦେବାକୁ ବିଚାରପତି ବି.ଆର୍ . ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।  ଉପରୋକ୍ତ ସରକାରୀ ସଂସ୍ଥାରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟର ପିଟିଶନରେ ଦର୍ଶାଇଥିଲେ , ସେମାନେ ୨୦୦୮ରୁ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ନିୟମିତ କରାଯାଉନାହିଁ । ତୁରନ୍ତ ନିଯୁକ୍ତି ନିୟମିତ ସହ ସମସ୍ତ ସୁବିଧା ପ୍ରଦାନ କରିବା ଲାଗି ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପୁର୍ବରୁ ଗତ ମାସରେ ଚାରିଟି ଆଉଟସୋର୍ସିଂ ବିଭାଗରେ ନିୟୋଜିତ ଚୁକ୍ତିଭିତ୍ତିକ ଡାଟା ଏଣ୍ଟ୍ରି ଅପରେଟରଙ୍କ କାର୍ଯ୍ୟକୁ ନିୟମିତ କରିବା ପାଇଁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମାନ ଭାବରେ ସେ ସମୟରେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ତିନିମାସ ମଧ୍ୟରେ ନିୟମିତ ଶ୍ରମିକଙ୍କ ପରି ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ ଓଡିଶା ସରକାର ସମାନ ସୁବିଧା ଦେବାକୁ ନିର୍ଦେଶ ଦେଇଥିଲେ। ଏହା ଦ୍ୱାରା ୧୫୦୦ ରୁ ଅଧିକ ଚୁକ୍ତିଭିତ୍ତିକ ଡାଟା ଏଣ୍ଟ୍ରି ଅପରେଟରମାନେ କୋର୍ଟଙ୍କ ନିର୍ଦ୍ଦେଶରେ ଉପକୃତ ହେବେ । ସେହିପରି ୨୦୧୮ ରେ ବାଣିଜ୍ୟିକ କର ବିଭାଗରେ ନିୟୋଜିତ ୭୫ ଟି ଚୁକ୍ତିଭିତ୍ତିକ ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.