ଋଷ ବିରୋଧରେ ଆମେରିକା ସହ ରହିଛି କି ଭାରତ ? 

ନୂଆଦିଲ୍ଲୀ,  ୨୫।୦୨ : ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ସାରା ବିଶ୍ୱର ନଜର ଭାରତ ଉପରେ ରହିଛି । ଭାରତ କଣ ପଦକ୍ଷେପ ନେବ ସେନେଇ ସମସ୍ତେ ଅନାଇ ରହିଛନ୍ତି । ଏହାମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଏ ପ୍ରସଙ୍ଗରେ ଭାରତ ସହ କଥା ହେବେ ବୋଲି କହିଛନ୍ତି । ବାଇଡେନ୍ କହିଛନ୍ତି ଯେ, ସେ ଭାରତ ସହ ଆଲୋଚନା କରିବେ । ଭାରତ ଆମେରିକା ସହ ରହିବ ନା ଋଷକୁ ସମର୍ଥନ କରିବ ବୋଲି ବାଇଡେନଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା । ଏହାର ଜବାବରେ ସେ କହିଥିଲେ ଯେ, ଭାରତ ସହ ସେ ବିଚାର ବିମର୍ଶ କରିବେ । କୁହାଯାଉଛି ଯେ, ୟୁକ୍ରେନ ପ୍ରସଙ୍ଗରେ ଭାରତ ଓ ଆମେରିକାର ଆଭିମୁଖ୍ୟ ସମାନ ନୁହେଁ । ଋଷ ସହ ଭାରତର ପୁରୁଣା ସମ୍ପର୍କ ରହିଛି । ସେହିପରି ଆମେରିକା ସହ ଗତ ୧୫ ବର୍ଷ ଧରି ଭାରତର ସମ୍ପର୍କ ବଢିଛି । ନୂଆଦିଲ୍ଲୀ ଏବେସୁଦ୍ଧା କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହିଁ । ୟୁଏନରେ ଭାରତ ଯେଉଁ ବୟାନ ଦେଇଥିଲା ତାହା ଋଷକୁ ପସନ୍ଦ ଆସିଥିଲା । ସୂଚନାଯୋଗ୍ୟ, ଗୁରୁବାର ରାତିରେ ଦେଶବାସୀଙ୍କୁ ବାଇଡେନ୍ ସମ୍ବୋଧନ କରିଥିଲେ । ସେ ଋଷ ଉପରେ ସିଧା ଆକ୍ରମଣ ନକରି ଅର୍ଥନୈତିକ ପ୍ରତିବନ୍ଧକ ଲଗାଇବେ ବୋଲି ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.