ସଟ୍ଟାଖେଳକୁ କେନ୍ଦ୍ର କରି ଘଟିଗଲା ବଡ ଅଘଟଣ, ମାରିଦେଲେ ଯୁବକଙ୍କୁ

ମାର୍ଶାଘାଇ : ଗାଁ ମହୋତ୍ସବରେ ଅଘଟଣ । ସଟ୍ଟାଖେଳକୁ ନେଇ ମହାଭାରତ । ସଙ୍ଘବଦ୍ଧ ଭାବେ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଭାଇ ସାମ୍ନାରେ ଭାଇକୁ କଲେ ହତ୍ୟା । ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ । ଯାହା ଖବର ମିଳିଛି, କେନ୍ଦ୍ରାପଡା ପାଟକୁରା ଥାନା ହରିଦାସପୁର ଗ୍ରାମରେ ଗତ ୩ ତାରିଖ ଠାରୁ ଆୟୋଜିତ ଚିତ୍ରୋତ୍ପଳା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଏକ ତିରମରା ବା ସଟ୍ଟାଖେଳକୁ କେନ୍ଦ୍ରକରି ଘଟିଥିବା ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ବିଳମ୍ବିତ ରାତିରେ ହରିଦାସପୁର ଗ୍ରାମର ୧୯ ବର୍ଷର ଜ୍ୟୋତିରଂଜନ ପରିଡା ଓରଫ ମିକୁ ଙ୍କର ଛୁରା ମାଡରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହାତ ହୋଇଥିଲେ । ଏହି ଘଟଣାରେ ପୋଲିସ୍ ୩ଜଣଙ୍କୁ ଥାନାରେ ଅଟକ ରଖି ପଚାରାଉଚରା ଜାରି ରଖିଛି ।

ତେବେ ମିକୁଙ୍କ ବଡଭାଇ ରଶ୍ମିରଂଜନ ପରିଡା ପାଟକୁରା ଥାନାରେ ଦେଇଥିବା ଏତଲା ଅନୁଯାୟୀ, ଚିତ୍ରୋତ୍ପଳ ମହୋତ୍ସବରେ ପ୍ରତିଦିନ ପରି ସଭା ସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲାବେଳେ ଏକ ସଟ୍ଟା ଖେଳ ଷ୍ଟଲ ନିକଟରେ ଏହି ଖେଳକୁ କେନ୍ଦ୍ର କରି ତାଙ୍କ ଭାଇ ଜ୍ୟୋତିରଂଜନଙ୍କ ସହିତ କିଛି ଯୁବକଙ୍କର ବଚସା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣ କରିଥିଲା । ସେହି ଉତ୍ସବରେ ଉପସ୍ଥିତ ଥିବା ବଡଭାଇ ରଶ୍ମିରଂଜନ ଘଟଣାସ୍ଥଳକୁ ଆସି ତାଙ୍କ ସାନଭାଇ ମିକୁଙ୍କୁ ସେଠାରୁ ଡାକି ନେଇ ଘରକୁ ପଠାଇ ଦେଇଥିଲେ ।

Umasankar Adv

ତେବେ କିଛି ସମୟ ବ୍ୟବଧାନରେ ରଶ୍ମିରଂଜନ ମିକୁ ପଛେ ପଛେ ଘରକୁ ଫେରିବା ବାଟରେ କିଛି ଦୃବୁର୍ତ୍ତ ମିକୁଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ତାକୁ ଗୋଡାଇ ଗୋଡାଇ ଛୁରୀ ଭୁଷି ଚାଲିଥିବା ସେ ଦେଖିବାକୁ ପାଇଥିଲେ । ବିଭିନ୍ନ ମାରଣାସ୍ତ୍ରରେ ଅତି ବିଭତ୍ସ ଭାବରେ ହଣାମରା କରୁଥିଲେ ତାଙ୍କ ଭାଇକୁ । ଏସବୁ ଦେଖି ରଶ୍ମିରଂଜନ ସମସ୍ତଙ୍କୁ ଡାକ ପକାଇବାରୁ ଯାତାୟତ କରୁଥିବା ଲୋକମାନେ ବାରଣ କରିବା ସତ୍ୱେ ଦୁର୍ବୃତ୍ତମାନେ ମିଳିତବାବେ ମିକୁକୁ ଗୋଡାଇ ଗୋଡାଇ ମାରିଚାଲିଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ରଶ୍ମିରଂଜନ ଏନେଇ ଥାନାରେ ଏତଲାଦେଲା ପରେ ପାଟକୁରା ଥାନା ଅଧିକାରୀ ମହମ୍ମଦ ଜାମସେଦ ଟିମ୍ ସହ ଚଢାଉ କରି ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି । ଏସଡିପିଓ ଜ୍ୟୋତିରଂଜନ ଗୈାଡ ଓ ଏସପି ସିଦ୍ଧାର୍ଥ କାଟରିଆ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ପୋଲିସ୍ ତିନୋଟି ଟିମ୍ ଗଠନ କରି ଖୁବଶିଘ୍ର ଗିରଫ କରିବ ବୋଲି ଏସପି ଶ୍ରୀ କାଟରିଆ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏପଟେ ମୃତ ମିକୁର ମୃତଦେହ ବ୍ୟବଚ୍ଛେଦ ହେବା ପରେ ଗ୍ରାମ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜଣାପଡିଛି ।

ସତରେ କଳୁଷିତ ହୋଇଗଲାଣି ଏଇ ସମାଜ । ଏବେ କାହାକୁ କଥା କହିବାକୁ ମଧ୍ୟ ଡର ଲାଗିଲାଣି । କାରଣ କଥା କଥାକେ ଆଜିକା ଲୋକେ ହତ୍ୟା କରିବାକୁ ବି ପଛାଉନାହାନ୍ତି । ଦେଖୁନାହାନ୍ତି କେମିତି ସାମାନ୍ୟ କଥାକୁ କେନ୍ଦ୍ର କରି ମାରଣାସ୍ତ୍ରରେ ଆକ୍ରମଣ କରି ଜୀବନ ନେଇଗଲେ ଜଣେ ଯୁବକଙ୍କର । ଏହି ଘଟଣାରେ ଯେତେଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

Leave A Reply

Your email address will not be published.