ଫଟୋଗ୍ରାଫରଙ୍କୁ ନାଲି ଆଖି ଦେଖାଇଲେ ଦବଙ୍ଗ ଖାନ୍‌

ନୂଆଦିଲ୍ଲୀ ୦୧।୦୩ : ପୁଣି ରାଗିଗଲେ ବଲିଉଡର ଦବଙ୍ଗ ଖାନ୍‌। ଦେଖାଇଲେ ନିଜ ନାଲି ଆଖି । ବିମାନ ବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲେ ଆଙ୍ଗ୍ରିଲୁକ୍। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ସଲମାନ ଖାନ୍‌ ଏବେ ଟୁର୍‌ରୁ ଫେରିଛନ୍ତି। ଦୁବାଇରୁ ଫେରିବା ପରେ ତାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ୍‌ କରାଯାଇଥିଲା। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପାଖକୁ ଯାଇ ଫଟୋ ଉଠାଇବାକୁ ଲାଗିଥିଲେ। କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କ ଏଭଳି ଫଟୋ ଉଠାଇବା ଶୈଳୀ ସଲମାନଙ୍କୁ ପସନ୍ଦ ଆସିନଥିଲା। ମୁହଁରେ ମାସ୍କ ପିନ୍ଧିଥିଲେ ସୁଦ୍ଧା ତାଙ୍କ ରାଗ ସ୍ପଷ୍ଟ ଦେଖାଯାଉଥିଲା। ସେ ଫଟୋଗ୍ରାଫରଙ୍କୁ ନାଲି ଆଖି ଦେଖାଇଥିଲେ। ସଲମାନଙ୍କ ସହ ଅଭିନେତ୍ରୀ ସଇ ମଞ୍ଜରେକର୍‌ଙ୍କୁ ମଧ୍ୟ ସ୍ପଟ୍‌ କରାଯାଇଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସଲମାନ ନିଜ ବଡିଗାର୍ଡଙ୍କ ସହ ବିମାନ ବନ୍ଦରରୁ ନିଜ କାର୍‌ ଆଡକୁ ଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ଫଟୋ ଉଠାଇବା ପାଇଁ ଭିଡ ଜମାଇଥିଲେ। ବଡିଗାର୍ଡମାନେ ମନା କରିବା ପରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଫଟୋ ଉଠାଇବାକୁ ଲାଗିଥିଲେ। ଏହି ସବୁକୁ ଦେଖି ରାଗିଯାଇଥିଲେ ସଲମାନ ଖାନ୍‌। ସେ ହଠାତ୍‌ ଅଟକି ଯାଇ ରାଗରେ ସେମାନଙ୍କ ଆଡକୁ ଚାହିଁଥିଲେ। ଏହାପରେ ଫଟୋଗ୍ରାଫରମାନେ ଫଟୋ ଉଠାଇବା ବନ୍ଦ କରିଦେଇଥିଲେ।

Leave A Reply

Your email address will not be published.