ସପ୍ତାହେ ଯାଏଁ କଲବଲ କରିବ ତାତି

ଭୁବନେଶ୍ୱର, ୨୫/୦୪: ଜାଳିବ, ଭାଜିବ… ସନ୍ତୁଳି ଦେବ । ଆହୁରି ପ୍ରାୟ ସପ୍ତାହେ ଏମିତି ଛଟପଟ କରିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ବର୍ତ୍ତମାନ ତାତିରୁ ଟିକିଏ ବି ନିସ୍ତାର ଆଶା ଦେଖାଯାଉନି । ଉପକୂଳ ଯେମିତି ସିଝୁଛି, ସିଝିବ । ଆଭ୍ୟନ୍ତରୀଣ ଓଡ଼ିଶାବାସୀ ଆହୁରି ଅଧିକ ଜଳିବ । ମେ’ ପହିଲା ଯାଏଁ ଗ୍ରୀଷ୍ମର ଏଭଳି ଭୟାନକ ପ୍ରକୋପ ଜାରି ରହିବ । ଜନଜୀବନକୁ କଲବଲ କରିବ । ବର୍ଷାର ବଡ଼ ଆଶା ନାହିଁ । କାଳବୈଶାଖୀ ହେଲେ ବି କାଁ ଭାଁ ହେବ ଓ ସ୍ୱଳ୍ପ ବର୍ଷା କରାଇବ । ପୂର୍ବାନୁମାନଠାରୁ ବି ଭୟଙ୍କର ରୂପ ନେଲାଣି ଗ୍ରୀଷ୍ମ ପ୍ରବାହ । ରବିବାର ସୂର୍ଯ୍ୟଙ୍କ କୋପ ଆହୁରି ବଢ଼ିଯାଇଥିଲା । ୨୮ ସହରରେ ତାତି ୪୦ ଡିଗ୍ରୀ ପାର୍‌ କରିଲା । ୮ଟି ସ୍ଥାନରେ ୪୨ ଡେଇଁଗଲା ପାରଦ । ସୋନପୁର ତାପମାତ୍ରା ୪୩.୮, ଭୁବନେଶ୍ୱର ୪୩.୩, ଅନୁଗୁଳ ୪୩.୧, ତାଳଚେର ୪୩ ଡିଗ୍ରୀରେ ଫୁଟୁଥିଲା । ୨୦୧୧ରୁ ଏବେ ସୁଦ୍ଧା ଏପ୍ରିଲରେ ଆଜିକୁ ମିଶାଇ କେବଳ ୩ଥର ଭୁବନେଶ୍ୱର ତାପମାତ୍ରା ୪୩ ଡିଗ୍ରୀ ଡେଇଁଛି । ସାରା ଓଡ଼ିଶା ଜଳିଥିଲା ରବିବାର । ଉପକୂଳରୁ ଆଭ୍ୟନ୍ତରୀଣ, ଦକ୍ଷିଣରୁ ପଶ୍ଚିମ ସବୁଠି ଅସମ୍ଭାଳ ଗରମ ରାଜଧାନୀ ଭୁବନେଶ୍ୱର ତତଲା ତାୱାରେ ଭାଜିଲା ଭଳି ଟକଟକ ଫୁଟିଥିଲା । ସକାଳ ୯ଟାରୁ ଗରମ ହାୱା ବହିବା ଆରମ୍ଭ ହୋଇଯାଇଥିଲା । ଦିନ ୧୧ଟାବେଳକୁ ସ୍ଥିତି ଅସମ୍ଭାଳ । ପଦାକୁ ବାହାରିଲେ ଯେମିତି ତତଲା ପ୍ରହାର ବାଜୁଥିଲା ଦେହ ହାତରେ । ମୁହଁ, ହାତ, ପାଦ ଜଳିଲା ଭଳିଲା ଲାଗୁଥିଲା । ଘର ଭିତରେ ବି ରହିବା କଷ୍ଟକର ହୋଇପଡ଼ିଥିଲା । କାନ୍ଥ, ଚଟାଣ, ଛାତ ତାତି ଯାଇଥିବାବେଳେ ଟ୍ୟାପ ଖୋଲିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ତତଲା ପାଣି ହିଁ ବାହାରୁଥିଲା । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଯାହା, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଉପକୂଳରେ ସ୍ଥିତି ଯେମିତି ଅଛି, ପ୍ରାୟତଃ ସେମିତି ରହିବ । କାଁ ଭାଁ ସାମାନ୍ୟ କମିପାରେ । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢ଼ିବ । ୨୬-୨୭ ତାରିଖବେଳକୁ କେତେକ ଜାଗାରେ ତାପମାତ୍ରା ୪୫-୪୬ ଡିଗ୍ରୀ ଛୁଇଁପାରେ । ଉପକୂଳରେ ତାତି କମିଲେ ଗୁଳୁଗୁଳି ବଢ଼ିପାରେ । ସୋମବାର ବୌଦ୍ଧ, ବଲାଙ୍ଗୀର, ଖୋର୍ଦ୍ଧା ଓ ନୟାଗଡ଼ରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହୋଇପାରେ । ତେଣୁ ସକାଳ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.