ଅପ୍ରେଲ୍ ୨୮ରୁ +୨ ବାର୍ଷିକ ପରୀକ୍ଷା, ଦକ୍ଷିଣାଞ୍ଚଳରେ ରହିଛନ୍ତି ୬୩, ୧୫୬ଜଣ ପରୀକ୍ଷାର୍ଥୀ

ବ୍ରହ୍ମପୁର ୨୭।୦୪ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ୨0୨୨ ମସିହା ବାର୍ଷିକ ପରୀକ୍ଷା ଆସନ୍ତା ଅପ୍ରେଲ୍ ୨୮ ତାରିଖରୁ ଆରମ୍ଭ ହେଉଛି l ସକାଳ ୯ଟା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା  ପର୍ଯ୍ୟନ୍ତ ପ୍ରଥମ ସିଟିଂ । ରାଜ୍ୟର ଏହି ମହତ୍ତ୍ୱପୂର୍ଣ୍ଣ ପରୀକ୍ଷା ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ l ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାପୂର୍ଣ୍ଣ, ସ୍ୱଚ୍ଛ ଓ କପିମୁକ୍ତ କରିବା ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି l କଡ଼ା ସୁରକ୍ଷା ଓ ସିସି-କ୍ୟାମେରା ମଧ୍ୟରେ ସଂଚାଳିତ ହେବାକୁ ଥିବା ଏହି ପରୀକ୍ଷାକୁ ଅବାଧ, ତ୍ରୁଟିଶୂନ୍ୟ ଓ ସମ୍ପୂର୍ଣ୍ଣ କପିମୁକ୍ତ କରିବା ଲକ୍ଷ୍ୟରେ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି l ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ଆଠଟି ଜିଲ୍ଲା, ଯଥା : ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଥିବା ସର୍ବମୋଟ ୪୫ଟି ‘ପରୀକ୍ଷା ପରିଚାଳନା ହବ୍’ (ଇ.ଏମ୍.ଏଚ୍.) ଅଧୀନରେ ୧୯୮ଟି ପରୀକ୍ଷା କେନ୍ଦ୍ର ରହିଛି l ପରୀକ୍ଷା ଆରମ୍ଭ ହେବାର ଅନ୍ୟୂନ ଦୁଇରୁ ତିନି ଘଣ୍ଟା ପୂର୍ବରୁ ହବ୍ କେନ୍ଦ୍ରରୁ ସାଧାରଣ ପରୀକ୍ଷା କେନ୍ଦ୍ରକୁ ଜଣେ ପର୍ଯ୍ୟବେକ୍ଷକ, ଦୁଇ ଜଣ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସହିତ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପଠାଯିବ ଏବଂ ପରୀକ୍ଷା ସରିବା ପରେ ସମ୍ପୃକ୍ତ ପର୍ଯ୍ୟବେକ୍ଷକ ସିଲ୍ଡ଼ ଉତ୍ତରଖାତା ପ୍ୟାକେଟ୍ ହବ୍ ଷ୍ଟ୍ରଙ୍ଗ୍ ରୁମରେ ଆଣି ଦାଖଲ କରିବେ l    ଚଳିତ ବର୍ଷ ଦକ୍ଷିଣାଞ୍ଚଳରେ +୨ ବାର୍ଷିକ ପରୀକ୍ଷା ନିମନ୍ତେ କଳାରେ ୪୩୫00, ବିଜ୍ଞାନରେ ୧୫୧୨୭, ବାଣିଜ୍ୟରେ ୩୭0୬ ଓ ଧନ୍ଦାମୂଳକ ଶିକ୍ଷାରେ ୮୨୩ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l

Leave A Reply

Your email address will not be published.