ଗଞ୍ଜାମରେ ୩ହଜାର ଦଶମ ବିଦ୍ୟାର୍ଥୀ ନିଖୋଜ! ଫର୍ମପୂରଣ କରିଛନ୍ତି, ପରୀକ୍ଷାକୁ ଆସୁନାହାନ୍ତି

ବ୍ରହ୍ମପୁର : ମାଟ୍ରିକ୍‌ ପରୀକ୍ଷାରେ ଭୂତ ପରୀକ୍ଷାର୍ଥୀଙ୍କୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। ପିଲାମାନେ ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ଫର୍ମପୂରଣ କରିଛନ୍ତି। ହେଲେ ପରୀକ୍ଷା ଦେବାକୁ ଆସୁନାହାନ୍ତି। ତେବେ ସେମାନେ କୁଆଡ଼େ ଗଲେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ୩ହଜାରରୁ ଅଧିକ ପରୀକ୍ଷାର୍ଥୀ ନିଖୋଜ ରହିଛନ୍ତି। ସ୍କୁଲ ଉପସ୍ଥାନ ଖାତାରେ ନାମ ଅଛି, ପରୀକ୍ଷା ପାଇଁ ଫର୍ମପୂରଣ ହୋଇଛି, ପରୀକ୍ଷା ହଲ୍‌ ପ୍ରବେଶପତ୍ର ମଧ୍ୟ ଜାରି ହୋଇଛି; ହେଲେ ପରୀକ୍ଷାର୍ଥୀ ନାହାନ୍ତି। ଜିଲ୍ଲାର ବିଭିନ୍ନ ସ୍କୁଲ ସରକାରୀ ଅନୁଦାନ ସହିତ ସୁବିଧା ପାଇବା ପାଇଁ ଏଭଳି ଅସାଧୁ ଉପାୟ ଅବଲମ୍ବନ କରିଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାରେ ମୋଟ ୬୩୪ଟି ଉଚ୍ଚ ବିଦ୍ୟାଳୟ ରହିଛି। ମାଟ୍ରିକ୍‌ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯାଉଛି। ବର୍ତ୍ତମାନ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ଚାଲିଛି। ପ୍ରଥମ ଆସେସ୍‌ମେଣ୍ଟ୍‌ରେ ଯେଉଁମାନଙ୍କ ନାମ ପଞ୍ଜୀକରଣ ହୋଇଥିଲା ଦ୍ବିତୀୟ ଆସେସ୍‌ମେଣ୍ଟ୍‌ରେ ମଧ୍ୟ ସେହି ଛାତ୍ରଛାତ୍ରୀଙ୍କ ନାମ ରହିଛି। ଗଞ୍ଜାମ ଜିଲ୍ଲାରେ ଚଳିତବର୍ଷ ମୋଟ ୪୬ହଜାର ୩୦୮ଜଣ ବିଦ୍ୟାର୍ଥୀ ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ଫର୍ମପୂରଣ କରିଛନ୍ତି। ସେମାନଙ୍କର ପରୀକ୍ଷା ହଲ୍‌ ପ୍ରବେଶ ପତ୍ର ମଧ୍ୟ ଆସିଛି। କିନ୍ତୁ ପରୀକ୍ଷାର୍ଥୀ ନାହାନ୍ତି। ଗତ ୨୯ ତାରିଖରେ ହୋଇଥିବା ପ୍ରଥମ ଦିନ ସିଟିଂରେ ଗଞ୍ଜାମ ଜିଲ୍ଲାର ୪୩ ହଜାର ୬୦ ପିଲା ପରୀକ୍ଷା ଦେଇଥିବା ବେଳେ ୩ହଜାର ୨୪୮ଜଣ ଅନୁପସ୍ଥିତ ଥିଲେ। ସେହିପରି ଗତକାଲି ହୋଇଥିବା ପରୀକ୍ଷାରେ ୪୨ହଜାର ୯୮୦ଜଣ ପରୀକ୍ଷାର୍ଥୀ ଉପସ୍ଥିତ ହୋଇଥିବା ବେଳେ ୩ ହଜାର ୩୨୮ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଦୈନିକ ହାରାହାରି ହିସାବରେ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ପରୀକ୍ଷା ଦେବାକୁ ଆସୁ ନାହାନ୍ତି। ତେବେ ଏମାନେ ଗଲେ କୁଆଡ଼େ?

Leave A Reply

Your email address will not be published.