ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ମୁର୍ହାମୁହିଁ; ପ୍ରକଳ୍ପ କାର୍ଯ୍ୟ ଆଇନ୍‌ର ପରିସର ମଧ୍ୟରେ ହେଉଛି: ପିନାକୀ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି। ବରଂ ଏଏସ୍ଆଇ ସହିତ ସମନ୍ୱୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ ଆଧାରରେ ଏବଂ କେଉଁ କ୍ଷମତା ବଳରେ କାମ ବନ୍ଦ ରଖିବା ଉଚିତ ବୋଲି କହୁଛନ୍ତି ? ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଏଏସ୍ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଆଜି ପ୍ରକଳ୍ପ ବିରୋଧୀଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର। ଗଣମାଧ୍ୟମରେ ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାର ଯାହା କାମ କରୁଛନ୍ତି ଆଇନ୍‌ର ପରିସରରେ ରହି କରୁଛନ୍ତି । ଶୌଚାଳୟ, ଡ୍ରେନ୍ ଏବଂ ବୈଦ୍ୟୁତିକ ନିର୍ମାଣ ଆମ୍‌ସାର ଆଇନ୍ ପରିସରରେ ଆସୁନାହିଁ, ତେଣୁ ଏହିସବୁ କାମ କରାଯାଇପାରିବ ବୋଲି ନିଜେ ଏଏସ୍ଆଇ ତାଙ୍କ ସତ୍ୟପାଠରେ କହିଛନ୍ତି। ଏହାଛଡ଼ା ଏନ୍‌ଏମ୍ଏ ବା ଜାତୀୟ ସ୍ମାରକୀ ପ୍ରାଧୀକରଣ ଆମକୁ ଏଥିପାଇଁ ୪ ସେପ୍ଟେମ୍ବର ୨୦୨୧ରେ ଏନ୍‌ଓସି ଦେଇଛନ୍ତି ବୋଲି ଆଡ୍‌ଭୋକେଟ୍ ଜେନେରାଲ ହାଇକୋର୍ଟରେ କହିଛନ୍ତି। ଏଏସ୍ଆଇ ନିଜର ସତ୍ୟପାଠରେ ଉଲ୍ଲେଖ କରିଥିବା କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭିନ୍ନ ମତ ରହିଛି ବୋଲି ଆଡ୍‌ଭୋକେଟ୍ ଜେନେରାଲ ହାଇକୋର୍ଟଙ୍କୁ ଜଣାଇଛନ୍ତି । ସେଥିପାଇଁ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଜବାବୀ ସତ୍ୟପାଠ ଦାଖଲ କରିବାକୁ ସମୟ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆବେଦନକାରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଦିଆଯାଉ ବୋଲି ବାରମ୍ବାର ନିବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହା ଉପରେ ରହିତାଦେଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି । ବରଂ ରାଜ୍ୟ ସରକାର ଓ ଏଏସ୍ଆଇ ପରସ୍ପର ଭିତରେ ସମନ୍ୱୟ ରଖି କାମ ଜାରି ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେବା ପରେ ପ୍ରକଳ୍ପ କାମ ବନ୍ଦ କରିବାକୁ କାହାର ସତ୍‌ସାହସ ହେଉଛି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.