ବାଲେଶ୍ବର ସହରରେ ଢିଲା ହେଲାଣି ଟ୍ରାଫିକ୍‌ କଟକଣା

ବାଲେଶ୍ବର: ଦୁର୍ଘଟଣା, ଜୀବନହାନି ଏବଂ ଟ୍ରାଫିକ୍ ଜାମ୍ ହ୍ରାସ କରିବା ପାଇଁ ବାଲେଶ୍ବର ସହରର କେତୋଟି ନିର୍ଦ୍ଦିଷ୍ଟ ରାସ୍ତାରେ ଭାରୀଯାନ ଚଳାଚଳ ନେଇ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି। କିନ୍ତୁ ପ୍ରତିଦିନ ପୂର୍ବାହ୍ନ ୧୧ଟା ପରେ ସାରା ସହରର କୌଣସି ଟ୍ରାଫିକପୋଷ୍ଟରେ ଟ୍ରାଫିକ୍‌ କର୍ମଚାରୀଙ୍କୁ ଖୋଜିଲେ ବି ଦେଖା ମିଳୁନାହାନ୍ତି। ଏଭଳି ସ୍ଥିତି ଅପରାହ୍ନ ସାଢ଼େ ୩ଟାରୁ ୪ଟା ପର୍ଯ୍ୟନ୍ତ ଲାଗିରହୁଥିବା ବେଳେ ଦୀର୍ଘ ୪/୫ ଘଣ୍ଟା ଟ୍ରାଫିକ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ୁଛି। ତେବେ  ପୁଲିସ ଓ ପ୍ରଶାସନ ମଧ୍ୟରେ ଉପଯୁକ୍ତ ସମନ୍ବୟ ରହୁୁନଥିବା କାରଣରୁ ଜାରି କରାଯାଇଥିବା ଟ୍ରାଫିକ କଟକଣା ଏକ ପ୍ରହସନ ବୋଲି ସହରବାସୀ ଅଭିଯୋଗ କରିଛନ୍ତି। ସୂୂଚନାଥାଉକି, ବାଲେଶ୍ବର ସହରର ଆଇଟିଆଇ ଛକରୁ ଭାୟା ବାଲେଶ୍ବର ବସ୍‌ଷ୍ଟାଣ୍ତ ଏଫଏମ୍ ଗୋଲେଇ ଦେଇ ସୂରଜ ହୋଟେଲ ଛକ, ପୁଲିସ ଲାଇନ ଛକରୁ ଭାୟା ଏଫଏମ୍ କଲେଜ ଦେଇ ହେମକାପଦା ଛକ, ଫକୀରମୋହନ ଗୋଲେଇରୁ ଭାୟା ଫାଣ୍ତିଛକ, ଚିଡ଼ିଆପୋଲ, ସଦର ମହକୁମା ଡାକ୍ତରଖାନା, ସିନେମା ଛକ ଏବଂ ମୋତିଗଞ୍ଜ ବଜାର ଦେଇ ଟାଉନ ଥାନା, ଷ୍ଟେସନଛକରୁ ଭାୟା ଏଡିଏମ ଛକ, ଜିଲ୍ଲା ସ୍କୁଲ ଦେଇ ପାଣି ଟାଙ୍କି ଛକ, ମିର୍ଜାପୋଖରୀ ଛକରୁ ଭାୟା ମାଣିଖମ୍ବ ଏବଂ ବାରବାଟି ଦେଇ ବୁଢ଼ା କାର୍ତ୍ତିକ ଛକ, ମିର୍ଜାପୋଖରୀରୁ ଭାୟା ଟାଉନହଲ ଏବଂ ସିନେମା ଛକ ଦେଇ ବେବିଲୋନ ଛକ, ଟେକ୍ନିକାଲ ସ୍କୁଲ ଛକରୁ ଭାୟା ଏଡିଏମ ଛକ, ରାଜାବଗିଚା ଦେଇ ନାରୀସଂଘ, ଷ୍ଟେସନ ଛକରୁ ଭାୟା ନାରୀସଂଘ ଦେଇ ପଢୁଆଁପଦା ଛକ ପର୍ଯ୍ୟନ୍ତ ରାସ୍ତାଗୁଡ଼ିକରେ ସକାଳ ସାଢ଼େ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କୌଣସି ଭାରିିଯାନ ଚଳାଚଳ କରିପାରିବ ନାହିଁ ବୋଲି କିଛିମାସ ହେଲା ପ୍ରଶାସନ ପକ୍ଷରୁ ନିୟମ ଜାରି କରାଯାଇଛି।

Leave A Reply

Your email address will not be published.