ବିଏସ୍‌କେୱାଇ କାର୍ଡ ଥାଇ ବି ସମସ୍ୟା ଭୋଗୁଛନ୍ତି ଏକକ କାର୍ଡଧାରୀ

ଭୁବନେଶ୍ବର: ପାଖରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) କାର୍ଡ ଅଛି। ହେଲେ କାର୍ଡଧାରୀ ନିଜେ ଯଦି ଗୁରୁତର କିମ୍ବା ଅବଚେତନ ଅବସ୍ଥାକୁ ଚାଲିଗଲେ ହସ୍ପିଟାଲରେ କାର୍ଡଟି କାର୍ଯ୍ୟକ୍ଷମ ହେବ କି ନାହିଁ ସନ୍ଦେହରେ। କାରଣ ହସ୍ପିଟାଲରେ ଆଡମିସନ୍/ଡିସଚାର୍ଜ ପାଇଁ କ‌ାର୍ଡରେ ଥିବା ବାଇଓମେଟ୍ରିକ୍‌କୁ ବାଧ୍ୟତାମୂଳକ କରାଯାଇଥିବା କାରଣରୁ ଏହାକୁ ନେଇ ସମସ୍ୟା ଉପୁଜୁଛି। କିଛି ଦିନ ତଳେ କଟକ ଜିଲ୍ଲା ବାଙ୍କୀ ବ୍ଲକ୍‌ର ୭୩ବର୍ଷୀୟ ବୃଦ୍ଧଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା, ତାହା ସୂଚାଇ ଦେଇଛି ଯେ ଏହି ବ୍ୟବସ୍ଥା ତ୍ରୁଟିଶୂନ୍ୟ ନୁହେଁ। ବାଙ୍କୀର ଏହି ବ୍ୟକ୍ତିଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ଆଇସିୟୁ ଓ ପରବର୍ତୀ ସମୟରେ ୱାର୍ଡକୁ ଅଣାଯାଇଥିଲା। ଆଡମିସନ୍ ସମୟରେ ବିଏସ୍‌କେୱାଇର ଅଧିକାରୀ ନମ୍ବର ଯାଞ୍ଚ କରିବା ପରେ ତାଙ୍କୁ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡିସ୍‌ଚାର୍ଜ ସମୟରେ ତାଙ୍କର ବାଇଓମେଟ୍ରିକ୍ସ ଅନୁଯାୟୀ ଆଙ୍ଗୁଠି ଚିହ୍ନ ନିଆଯାଇଥିଲା। ମାତ୍ର ସେ ଅବଚେତନ ଅବସ୍ଥାରେ ଥିବାରୁ ତାଙ୍କୁ ବାଇଓମେଟ୍ରିକ୍ସ ଠିକ୍‌ରେ ଆସି ନ ଥିଲା। ଯାହାଫଳରେ ରୋଗୀ ଡିସଚାର୍ଜ ହୋଇପାରି ନ ଥିଲେ। ପରବର୍ତୀ ସମୟରେ ହସ୍ପିଟାଲ ପକ୍ଷରୁ ବିଏସ୍‌କେୱାଇ କର୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲା। ସେଠାରୁ ଅନୁମୋଦନ ଆସିବା ପାଇଁ ୬/୭ ଘଣ୍ଟା ଲାଗିଥିଲା। ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷାରେ ଥିବା ହିତାଧିକାରୀଙ୍କୁ ବିଏସ୍‌କେୱାଇ ଯୋଜନାରେ ସାମିଲ ‌କରିଛନ୍ତି। ସରକାରୀ ତଥ୍ୟ ଅନୁସାରେ, ୯୮ ପ୍ରତିଶତ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ହେଲେ ଏଥିରେ କେ‌ତେକ ସଂଖ୍ୟକ ହିତାଧିକାରୀ ଏକକ କାର୍ଡଧାରୀ ରହିଛନ୍ତି ତାହାର ତଥ୍ୟ ନାହିଁ। କାର୍ଡରେ କେବଳ ଜଣେ ହିତାଧିକାରୀ ଥିବାରୁ ତାଙ୍କର କୌଣସି ସମସ୍ୟା ହେଲେ କାର୍ଡରେ ସୁବିଧା ପାଇଁ ତାଙ୍କ ପରିବାର ଲୋକମାନଙ୍କ ବାଇଓମେଟ୍ରିକ୍ସ ମଧ୍ୟ କାମରେ ଆସୁନାହିଁ। ତେଣୁ ଏକକ କାର୍ଡଧାରୀଙ୍କ ପାଇଁ ବାଇଓମେଟ୍ରିକ୍ସରେ ଅନ୍ୟ ବ୍ୟବସ୍ଥା କରିବା ଲାଗି ହିତାଧିକାରୀମାନେ ଦାବି କରିଛନ୍ତି।

Leave A Reply

Your email address will not be published.