ରାଜ୍ୟରେ ୫୦ ପ୍ରଫେସର,୧୪୪ ଆସୋସିଏଟ୍‌ ପ୍ରଫେସର ପଦ ଖାଲି

କଟକ : ରାଜ୍ୟରେ ସ୍ବାସ୍ଥ୍ୟ ସେବା ଓ ଶିକ୍ଷାର ବିକାଶ ପାଇଁ ସରକାର ଖୋଲି ଚାଲିଛନ୍ତି ଗୋଟିଏପରେ ଗୋଟିଏ ନୂଆ ମେଡିକାଲ କଲେଜ। ସେହି ଅନୁସାରେ ଭିତ୍ତିଭୂମିର ବିକାଶ ହେଉନାହିଁ। କୋଠା ନିର୍ମାଣ ହେଉଛି, ହେଲେ ଡାକ୍ତର, ନର୍ସ ଅଥବା ଟେକ୍ନିକାଲ ଷ୍ଟାଫ୍ ନିଯୁକ୍ତିକୁ ଗୁରୁତ୍ବ ଦିଆଯାଉନାହିଁ। ତଥ୍ୟ ଅନୁସାରେ ରାଜ୍ୟରେ ଏବେ ୧୦ଟି ମେଡିକାଲ କଲେଜରେ ୫୦ ପ୍ରଫେସର ଓ ୧୪୪ ଆସୋସିଏଟ୍‌ ପ୍ରଫେସର ପଦ ଖାଲିପଡ଼ିଛି। ସେହି ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଚୁକ୍ତିଭିତ୍ତିକ ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଜରିଆରେ ଠିକ୍‌ ସମୟରେ ନିଯୁକ୍ତି, ପଦୋନ୍ନତି ଦିଗରେ ପଦକ୍ଷେପ ନ ନେଇ ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତି ଉଦ୍ୟମକୁ ବିରୋଧ କରିଛନ୍ତି ଅନେକ ବିଶେଷଜ୍ଞ ଡାକ୍ତର। ରାଜ୍ୟର ଏସ୍‌ସିବି ମେଡିକାଲ କଲେଜରେ ସର୍ବାଧିକ ୧୬ଟି ପ୍ରଫେସର ୪୨ଟି ଆସୋସିଏଟ୍‌ ପ୍ରଫେସର ପଦ ଖାଲିପଡ଼ିଛି। ସେହିପରି ଏମ୍‌କେସିଜି, ବ୍ରହ୍ମପୁରରେ ୫ ପ୍ରଫେସର ଓ ୩୧ ଆସୋସିଏଟ୍‌ ପ୍ରଫେସର, ଏସ୍‌ଏନ୍‌ଏନ୍‌ ମେଡିକାଲ କଲେଜରେ ୪ ପ୍ରଫେସର, ୧୧ ଆସୋସିଏଟ୍‌ ପ୍ରଫେସର, ପିଆରଏମ୍‌ ମେଡିକାଲ କଲେଜରେ ୪ ପ୍ରଫେସର ଓ ୮ ଆସୋସିଏଟ୍‌ ପ୍ରଫେସର, ଏଫ୍‌ଏମ୍‌ ମେଡିକାଲ କଲେଜରେ ୮ ପ୍ରଫେସର, ୧୧ ଆସିଷ୍ଟାଣ୍ଟ ପ୍ରଫେସର, ବିବିଏମ୍‌ସିଏଚ୍‌ରେ ୪ ପ୍ରଫେସର, ୧୦ ଆସୋସିଏଟ୍‌ ପ୍ରଫେସର, ଏସ୍‌ଜେଏମ୍‌ସିଏଚ୍‌ରେ ୪ ପ୍ରଫେସର, ୧୦ ଆସୋସିଏଟ୍‌ ପ୍ରଫେସର, ସୁନ୍ଦରଗଡ଼ ଓ କେନ୍ଦୁଝର ମେଡିକାଲ କଲେଜରେ ଜଣେ ଲେଖାଏଁ ପ୍ରଫେସର ଓ ଯଥାକ୍ରମେ ୬ ଓ ୭ ଆସୋସିଏଟ୍‌ ପ୍ରଫେସର ପଦ ଖାଲିପଡ଼ିଛି। ଏପଟେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସରଙ୍କୁ ଏନ୍‌ଏମ୍‌ସି ଗାଇଡ୍‌ ଲାଇନ୍‌ ପୂରଣ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବାକୁ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି, ସେଥିରେ ୧ ଲକ୍ଷ ୨୫ ହଜାର ଟଙ୍କା ଦରମାରେ ପ୍ରଫେସରଙ୍କୁ ଓ ୧ ଲକ୍ଷ ଟଙ୍କା ଦରମାରେ ଆସୋସିଏଟ୍‌ ପ୍ରଫେସରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବେ।

Leave A Reply

Your email address will not be published.