ଅବକାରୀ ବିଭାଗରେ ବି ବଦଳିବ ବ୍ରିଟିସ୍ ନିୟମ: ୧୧ ଅଫିସର ପିନ୍ଧିବେ ଖାକି

କଟକ : ଅବକାରୀ ବିଭାଗରେ ବଦଳିବାକୁ ଯାଉଛି ବ୍ରିଟିସ୍ ଅମଳ ନିୟମ। ବିଭାଗ ଆରମ୍ଭ ପରଠାରୁ ଖାକି ପୋଷାକ ପିନ୍ଧିବାକୁ ଅନୁମତି ମିଳି ନଥିବା ଡେପୁଟି ଅବକାରୀ କମିସନର୍‌(ଡିଇସି) ପାହ୍ୟାର ଅବକାରୀ ଅଧିକାରୀ ଏଣିକି ଖାକି ପୋଷାକ ପିନ୍ଧିବେ। ଡିଇସି ଓ ପରେ ବିଭାଗରେ ଯୋଡ଼ି ହୋଇଥିବା ଯୁଗ୍ମ କମିସନର୍‌ ଓ ଅତିରିକ୍ତ କମିସନର୍‌ ପାହ୍ୟାର ୧୧ ଅବକାରୀ ଅଧିକାରୀଙ୍କୁ ବି ଖାକି ପୋଷାକ ପିନ୍ଧିବାକୁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଅନୁମତି ଦେବାକୁ ଯାଉଛନ୍ତି। ଏହାସହିତ ୨୦୨୨ ଆର୍ଥିକ ବର୍ଷରେ ପୋଷାକ ଭତ୍ତାରୁ ବାଦ୍ ପଡ଼ିଥିବା ଅବକାରୀ ଏସ୍‌ପି ଓ ଡିଏସ୍‌ପିଙ୍କୁ ବି ଭତ୍ତା ମିଳିବ। ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏଭଳି ପ୍ରସ୍ତାବକୁ ମଞ୍ଜୁର କରିବାକୁ ଯାଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଗତ ଏପ୍ରିଲ ୬ ତାରିଖରେ ‘ସମ୍ବାଦ’ରେ ‘ଅବକାରୀ ବିଭାଗରେ ବି ଖାକି ଅଡ଼ୁଆ’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ବିଭାଗରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ବ୍ରିଟିସ୍ ଅମଳରୁ ୧୯୧୫ରେ ଅବକାରୀ ବିଭାଗ ଆରମ୍ଭ ପରେ ୩ଟି ଡେପୁଟି ଅବକାରୀ କମିସନର୍‌ ଥିବା ଅବକାରୀ ଅଧିକାରୀଙ୍କୁ ଖାକି ପୋଷାକ ପିନ୍ଧିବାକୁ ଅନୁମତି ମିଳିନଥିଲା। ଯୁଗ୍ମ କମିସନର୍‌, ଅତିରିକ୍ତ କମିସନର୍‌ ପଦବି ୨୦୧୪-୧୫ରେ କ୍ୟାଡର୍‌ ପୁନର୍ଗଠିତ ସମୟରେ ସୃଷ୍ଟି ହେଲା। ୨୦୨୧ ମାର୍ଚ୍ଚ ୧୦ ତାରିଖର କ୍ୟାଡର୍ ରୁଲ୍ ପୁନର୍ଗଠିତ ହେଲାପରେ ୭ ଡେପୁଟି ଅବକାରୀ ଅଧିକାରୀ, ୩ଟି ଯୁଗ୍ମ କମିସନ, ଜଣେ ଅତିରିକ୍ତ କମିସନର ପଦବୀ ସୃଷ୍ଟି ହେଲା। ଏହି ତିନୋଟି କ୍ୟାଡର୍‌ରେ ଥିବା ୧୧ ଜଣ ଅବକାରୀ ଅଧିକାରୀଙ୍କୁ ଖାକି ପୋଷାକ ପିନ୍ଧିବାକୁ ଅନୁମତି ମିଳିନଥିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ଗଲା ଏପ୍ରିଲ ୬ ତାରିଖରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟରେ ବି ରାଜ୍ୟର ୪୫ ଏସ୍‌ପି ଏବଂ ୭୦ ଡେପୁଟି ଏସ୍‌ପି ପୋଷାକ ଭତ୍ତା ବ୍ୟବସ୍ଥାରୁ ଚଳିତବର୍ଷ ବାଦ୍‌ ପଡ଼ିଥିବା ସଂକ୍ରାନ୍ତରେ ଉଲ୍ଲେଖ ଥିଲା। ଏହି ରିପୋର୍ଟ ପ୍ରକାଶ ପାଇବାପରେ ରାଜ୍ୟରେ ଅବକାରୀ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଅବକାରୀ କମିସନର୍‌ଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଅଧିକାରୀମାନେ ଅବଗତ ବି କରିଥିଲେ। ଅବକାରୀ ବିଭାଗ ଏଭଳି ପ୍ରସଙ୍ଗରେ ଏକ ବୈଠକ ଭୁବନେଶ୍ବରରେ ବି କରିଥିଲା। ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଅବକାରୀ ବିଭାଗ ବିଚାରବିମର୍ଷ କରିବା ପାଇଁ ଅବକାରୀ କମିସନର୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁପାରିସ କରାଯାଇଥିଲା। ସୁପାରିସ ଆଧାରରେ ଏହି ପ୍ରସ୍ତାବ ଅବକାରୀ, ଗୃହ, ଅର୍ଥ ଓ ସାଧାରଣ ପ୍ରଶାସନ ବିଭାଗର ଅନୁମୋଦନ ପାଇସାରିଥିବା ବେଳେ କେବଳ ଗେଜେଟ୍ ନୋଟିଫିକେସନ୍‌କୁ ଅପେକ୍ଷା ରହିଛି। ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତିକୁ ଅନୁମୋଦନ କଲା ପରେ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ ବୋଲି ଏକ ବିଶେଷସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.