କେରଳ ଓ କର୍ଣ୍ଣାଟକ ପରେ ଓଡ଼ିଶାରେ ପାଦ ଥାପିଲା ଟମାଟୋ ଫ୍ଲୁ’

କଟକ,୧୪/୦୫: କେରଳ ଓ କର୍ଣ୍ଣାଟକରେ ଟମାଟୋ ଫ୍ଲୁ’ଆତଙ୍କ ଦେଖାଯାଇଛି । ୫ ବର୍ଷରୁ କମ୍‌ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କଠାରେ ଯେଉଁ ଲକ୍ଷଣ ପ୍ରକାଶ ପାଉଛି ଠିକ୍‌ ସେହିଭଳି ଲକ୍ଷଣ ଥିବା ପ୍ରାୟ ୨୦ଜଣ ଶିଶୁ କଟକ ବୟାଳିଶମୌଜା ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ଶିଶୁମାନଙ୍କ ଜଂଘ ଓ ଅନ୍ୟାନ୍ୟ ଜାଗାରେ ଲାଲ ଫୋଟକା ଭଳି ଫଳିଯାଉଥିବାବେଳେ ଜ୍ୱର ଛାଡୁନାହିଁ । ଏହା ଟମାଟୋ ଫ୍ଲୁ’ ବୋଲି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅନ୍ୟପକ୍ଷରେ ଏ ସମ୍ପର୍କରେ ପ୍ରଶାସନ ପାଖରେ କୌଣସି ସୂଚନା ନଥିବା କୁହାଯାଇଛି । ବୟାଳିଶମୌଜା ସରିଚୁଆଁ ପଞ୍ଚାୟତର କଳପଡ଼ା, ବେଣ୍ଟକାର, କୁଳସରିଚୁଆଁ ଭଳି ପ୍ରାୟ କିଛି ଗ୍ରାମରେ ଶିଶୁଙ୍କ ଠାରେ ଏଭଳି ଲକ୍ଷଣ ପ୍ରକାଶ ପାଇଛି । ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେମାନେ ସମସ୍ତେ ୫ବର୍ଷରୁ କମ୍‌ । ଶିଶୁଙ୍କ ଛଡ଼ା ଅନ୍ୟ କାହାରି ଠାରେ ଏଭଳି ରୋଗ ଦେଖାଯାଇନାହିଁ । ଏମିତିକି ପରିବାର ଲୋକେ ଆକ୍ରାନ୍ତ ଶିଶୁର ଯତ୍ନ ନେଉଥିଲେ ମଧ୍ୟ ସେମାନଙ୍କୁ ସଂକ୍ରମଣ ବ୍ୟାପୁନାହିଁ । ତେଣୁ ହାଡଫୁଟି ବା ମିଳିମିଳା ନୁହେଁ ବୋଲି ଲୋକେ ସ୍ପଷ୍ଟ ହୋଇସାରିଛନ୍ତି । ତା’ଛଡ଼ା ଶରୀର ନିର୍ଦ୍ଦିଷ୍ଟ କିଛି ଜାଗା ଯେମିତି ପିଚା, ଜଂଘ ଓ କହୁଣୀରେ ଲାଲ୍‌ ଲାଲ୍‌ ଭଳି ଫୋଟକା ଭଳି ଯାଉଛି । ଏହାର ପ୍ରଭାବରେ ଜ୍ୱର ଛାଡୁନାହିଁ । ଏସବୁ ଲକ୍ଷଣ କେରଳ ଓ କର୍ଣ୍ଣାଟକରେ ହୋଇଥିବା ଟମାଟୋ ଫ୍ଲୁ’ ଭଳି ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ତେବେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଛୋଟରାୟଙ୍କୁ ପଚାରିବାରେ ତାଙ୍କ ପାଖରେ ସେମିତି କିଛି ରିପୋର୍ଟ ଆସିନଥିବା କହିଛନ୍ତି । ତେବେ ଯଦି ସେଭଳି କିଛି ଲକ୍ଷଣ ପ୍ରକାଶ ପାଏ ତେବେ ତୁରନ୍ତ ଏହାର ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.