ସ୍ମାର୍ଟ‌ ସିଟିରେ ବିକଳ ଶିକ୍ଷା ବ୍ୟବସ୍ଥା

ରାଉରକେଲା: ପ୍ରାୟ ୩୬ ବର୍ଷ ପୁରୁଣା ପ୍ରାଥମିକ ସ୍କୁଲ। ଏଠାରେ ପର୍ଯ୍ୟାପ୍ତସଂଖ୍ୟକ ଛାତ୍ରଛାତ୍ରୀ ଅଧ୍ୟୟନରତ। ଛାତ୍ରଛାତ୍ରୀ ଉପସ୍ଥାନ ବି ୮୫ ପ୍ରତିଶତ ଉପରେ। ମାତ୍ର ଶିକ୍ଷାଦାନ କରିବାକୁ ଶିକ୍ଷକ ନାହାନ୍ତି। ଫଳରେ ଉନ୍ନତମାନର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ। ଏଭଳି ଦୂରବସ୍ଥା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା କୌଣସି ଉପାନ୍ତ ଅଞ୍ଚଳର ସ୍କୁଲ ନୁହେଁ; ବରଂ ସ୍ମାର୍ଟସିଟି ରାଉରକେଲାର ବାଲୁଘାଟସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟର ବିକଳ ଚିତ୍ର। ଅପରପକ୍ଷରେ ସହରର ଅନ୍ୟ କିଛି ସ୍କୁଲରେ ଖୁବ୍‌ କମ୍‌ ଛାତ୍ରଛାତ୍ରୀ ଥିଲେ ମଧ୍ୟ ଆବଶ୍ୟକତାରୁ ଅଧିକ ଶିକ୍ଷକଶିକ୍ଷୟିତ୍ରୀ ରହୁଛନ୍ତି; ଯାହାକି ଶିକ୍ଷାବିଭାଗର ପାରଦର୍ଶୀ କାର୍ଯ୍ୟକଳାପ ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୧୯୮୬ ମସିହାରେ ବାଲୁଘାଟରେ ସ୍ଥାପିତ ହୋଇଥିଲା ବ୍ରାହ୍ମଣୀ ନଗର ପ୍ରାଥମିକ ବିଦ୍ୟାଳୟ। ଏଠାରେ ପ୍ରାୟତଃ ସ୍ଥାନୀୟ ବାଲୁଘାଟର ବିଭିନ୍ନ ବସ୍ତି ଅଞ୍ଚଳର ପିଲା ପାଠ ପଢ଼ୁଛନ୍ତି। ଏଠାରେ ୧ରୁ ୫ ଶ୍ରେଣୀ ଯାଏଁ ୧୮୫ ଜଣ ଛାତ୍ରଛାତ୍ରୀ ଅଛନ୍ତି। ପ୍ରତ୍ୟେକ ଦିନ ଉପସ୍ଥାନ ସଂଖ୍ୟା ୮୫ ପ୍ରତିଶତରୁ ଅଧିକ। କିନ୍ତୁ ଏଠାରେ ମାତ୍ର ତିନି ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି। ଭିତ୍ତିଭୂମି ଅଛି, ଛାତ୍ରଛାତ୍ରୀ ବି ଅଛନ୍ତି କିନ୍ତୁ ପଢ଼ାଇବାକୁ ଶିକ୍ଷକଶିକ୍ଷୟିତ୍ରୀ ନାହାନ୍ତି। ଶିକ୍ଷକ ନିଯୁକ୍ତି ପାଇଁ ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକମାନେ ବହୁବାର ବିଶ୍ରା ଗୋଷ୍ଠି ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି; କିନ୍ତୁ ଏଯାଏଁ ସୁଫଳ ମିଳିନି। ତ୍ରୁଟିପୂର୍ଣ୍ଣ ବଦଳି ବ୍ୟବସ୍ଥା ଓ ପ୍ରକ୍ରିୟାରେ ସ୍ଵଛତା ନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ହୁଏ।

Leave A Reply

Your email address will not be published.