ବରମୁଣ୍ଡାରୁ ୧.୨୩କୋଟିର ଧଳାଜହର ଜବତ, ଅନ୍ତଃରାଜ୍ୟ ନିଶାମାଫିଆ ସମେତ ୨ଗିରଫ

ଭୁବନେଶ୍ବର : ରାଜଧାନୀରୁ ପୁଣିଥରେ କୋଟିଏରୁ ଊର୍ଧ୍ବ ଟଙ୍କାର ବ୍ରାଉନସୁଗାର ଧରାପଡ଼ିଛି। ଗତକାଲି ସଂଧ୍ୟାରେ ୨ ଜଣ ବେପାରୀ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଛିଡ଼ା ହୋଇଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ସେମାନଙ୍କୁ ଗିରଫ କରିଛି। ସେମାନେ ହେଲେ, ପଶ୍ଚିମବଙ୍ଗ ନଦିଆର କପିଳଦେବ ମଜୁମଦାର ଓ ଖୋର୍ଦ୍ଧା ଡମଣଭୂଇଁର ରଶ୍ମିରଂଜନ ଭୋଳ। ପୁଲିସ ସେମାନଙ୍କ ଠାରୁ ୧କେଜି ୨୩୮ଗ୍ରାମ୍‌ର ଧଳାଜହର (ବ୍ରାଉନ ସୁଗାର) ଜବତ କରିଛି। ଏହାର ବଜାର ମୂଲ୍ୟ ୧ କୋଟି ୨୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହାସହ ଦୁହିଁଙ୍କଠାରୁ ନଗଦ ୧୭ ହଜାର ଟଙ୍କା, ନକଲି ଏମ୍ସ ଡାକ୍ତର ପରିଚୟପତ୍ର, ଇଭେଣ୍ଟ ଆଇକାର୍ଡ, ପୁଲିସ୍‌ ପୋଷାକ ପିନ୍ଧା କିଛି ଜେରକ୍ସ ଫଟୋ, ବୁଲେଟ୍ ଓ ୨ଟି ଲାପଟପ୍‌ ଜବତ କରାଯାଇଛି। ଏହି ଦୁଇ ଅଭିଯୁକ୍ତ ପଶ୍ଚିମବଙ୍ଗ ନଦିଆରୁ ବ୍ରାଉନସୁଗାର ଆଣି ଭୁବନେଶ୍ବର ଆସିଥିଲେ ବୋଲି ଏସ୍‌ଟିଏଫ୍‌ କହିଛି। ଏସ୍‌ଟିଏଫ୍‌ ସୂଚନାନୁଯାୟୀ, କପିଳ ଓ ରଶ୍ମି ନାଁରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଶା କାରାବାର ଜନିତ ମାମଲା ନାହିଁ। କିନ୍ତୁ ଉଭୟ ପେସା‌ଦାର ନିଶା ବେପାରୀ। ୨ରୁ ୩ ବର୍ଷ ହେବ, ଦୁହେଁ ନିଶା କାରବାରରେ ଲିପ୍ତ ଅଛନ୍ତି। ନିକଟରେ କପିଳ ନଦିଆରୁ ଧଳାଜହର ଆଣି ଭୁବନେଶ୍ବର ଆସିଥିଲା। ଏଠାରେ ରଶ୍ମି ସହ ମିଶି ନିର୍ଦ୍ଦିଷ୍ଟ ଏକ ବସ୍ତିରେ ଧଳାଜହର ବିକ୍ରି କରିଥା’ନ୍ତା।

Leave A Reply

Your email address will not be published.