ଚୋକଡ଼ରୁ ତିଆରି ହେଉଛି ଚାଓମିନ୍, କଳମ ଶାଗରୁ ସସ୍ !

କଟକ : କଳମ ଶାଗରୁ ସସ୍ ଓ ଗୋଖାଦ୍ୟ ଭାବେ ବ୍ୟବହାର ହେଉଥିବା ଚୋକଡ଼ରୁ ତିଆରି ହେଉଛି ଚାଓମିନ୍। ଏଭଳି ସାମଗ୍ରୀରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ରାକେଟ୍‌ର ପର୍ଦ୍ଦାଫାସ କରିଛି ମାଲଗୋଦାମ ଥାନା ପୁଲିସ। ପାଖାପାଖି ୧୨ ଲକ୍ଷ ଟଙ୍କାର ନକଲି ଖାଦ୍ୟ ସାମଗ୍ରୀ ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଥାନାରେ ଅଟକ ରଖି ଜେରା କରୁଛି। ବାରଙ୍ଗ ଦାଢ଼ାପାଟଣା ଅଞ୍ଚଳରେ ଚାଲିଥିବା ଏକ ସସ୍ ଓ ଚାଓମିନ୍ ତିଆରି ଫ୍ୟାକ୍ଟ୍ରିକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମାଲଗୋଦାମ ଭିତରେ ସାଥି ବ୍ରାଣ୍ଡ୍‌ର ନକଲି ସସ୍ ଓ ଚାଓମିନ୍ ବିକ୍ରି ହେଉଥିବା ସମ୍ପର୍କରେ ମାଲଗୋଦାମ ଥାନା ପୁଲିସ ଶନିବାର ଖବର ପାଇଥିଲା। ସିଏମସି ସହାୟତାରେ ପୁଲିସ ଟିମ୍ ଏହି ଗୋଦାମରେ ଚଢ଼ଉ କରିଥିଲା। ୨୦ ପେଟି ସାଥି ସସ୍, ପରିବାର ସସ୍, ଫୁଡ଼ି ସସ୍, ୪୫ ବସ୍ତା ମ୍ୟାଗି ଜବତ କରିଛି। ୫୦୦ ବୋତଲ ସସ୍ ଓ ଅଢ଼େଇ କୁଇଣ୍ଟାଲ୍ ଚାଓମିନ୍ ଜବତ ହୋଇଛି। ଏହି ସସ୍ ବିକ୍ରି ପଛର ଦୁଇ କାର୍ପଟଦାର ଚାଉଳିଆଗଞ୍ଜର ସନ୍ତୋଷ ସାହୁ, ପବିତ୍ର ସାହୁଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହି ସସ୍ ବାରଙ୍ଗ ଦାଢ଼ାପାଟଣା ଅଞ୍ଚଳରେ ଏକ ୟୁନିଟରେ ଚାଲୁଥିବା ଜଣାପଡ଼ିବା ପରେ ପୁଲିସ ସେଠି ବି ଚଢ଼ଉ କରିଥିଲା। ଭୁବନେଶ୍ବରର ଜଣେ ମହିଳା ଦାଢ଼ାପାଟଣାରେ ଏକ ଘର ଭଡ଼ା ନେଇ ସେଠାରେ ସସ୍ ପ୍ରସ୍ତୁତ କରୁଥିଲେ। ଫ୍ୟାକ୍ଟ୍ରିରୁ ଦୁଇ ଜଣ କର୍ମଚାରୀଙ୍କୁ ପୁଲିସ ଆଣି ଜେରା କରୁଛି। ଏହି ଫ୍ୟାକ୍ଟ୍ରିରେ ସସ୍ ଓ ଚାଓମିନ୍ ପ୍ରସ୍ତୁତ ହେଉଥିବା ମେସିନ୍ ଓ ପ୍ୟାକିଂ ମେସିନ୍ ଜବତ କରିଛି।

Leave A Reply

Your email address will not be published.