ରଥଖଳା ହାଲଚାଲ: ସରିଲା ୪୧ ଚକ, ତିନି ରଥର ୬ଟି ଗରଗରା ଚଉପଟ କାର୍ଯ୍ୟ ଜାରି

ପୁରୀ,୦୩/୦୬: ତାଳଧ୍ୱଜ ଓ ଦେବଦଳନ ରଥର ପାଞ୍ଚ ଦଣ୍ଡା ହଣା ସରିଛି । ବିଶ୍ୱକର୍ମାମାନେ ଦଣ୍ଡା କାଠକୁ ବାରିସିରେ ହାଣି ଚଉପଟ କରିଛନ୍ତି । ତାଳଧ୍ୱଜର ୪ ଦଣ୍ଡା କାର୍ଯ୍ୟ ସରିଛି । ଏଥିସହ ରଥର ୪୨ ଚକ ମଧ୍ୟରୁ ୪୧ଟି ଚକ ନିର୍ମାଣ ଶେଷ ହୋଇଛି । ରଥର ଖମ୍ବୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତୃତୀୟ ଭୂଇଁ ଖମ୍ବୀର ଉଭୟ ପାଶ୍ୱର୍ରେ ସାଲ ଜାରି ରହିଛି । ତିନି ରଥର ୬ଟି ଗରଗରା ଚଉପଟ ଜାରି ରହିଛି। ରଥତ୍ରୟ ନିର୍ମାଣ କାର୍ଯ୍ୟରେ ସମନ୍ୱୟ ରଖାଯାଇ କାମ ଆଗଉଛି । ତାଳଧ୍ୱଜର ୧୪ଟି ଚକ ଓ ନନ୍ଦିଘୋଷର ୧୬ଟି ଚକ କାର୍ଯ୍ୟ ଶେଷ ହୋଇଛି। ଦେବୀ ରଥର ଶେଷ ଚକ କାର୍ଯ୍ୟ ଚାଲିଛି । ଦେବୀ ରଥର ତୃତୀୟ ଭୂଇଁ ଖମ୍ବୀର ଉଭୟ ପାଶ୍ୱର୍ ସାଲ ହୋଇଛି । ରଥରେ ତିନୋଟି ଭୂଇଁ ରହିଥାଏ । ଚାରିନାହାକା ଉଠି ଚଉଦ ନାହାକା ବୁଲିଲେ ପ୍ରଥମ ଭୂଇଁ ସ୍ଥାପନ ହେବ । ପ୍ରଥମ ଭୂଇଁ ଉପରେ ଦ୍ୱିତୀୟ ଓ ତୃତୀୟ ଭୂଇଁ ରହିଥାଏ । ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତୀ ସେବକମାନେ ସାରିଛନ୍ତି । ଅନ୍ୟ ଦଣ୍ଡା କାର୍ଯ୍ୟ ଜାରି ରହିଛି । ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥର ୯ ଲେଖାଏଁ ଦଣ୍ଡା ରହିଥିବା ବେଳେ ଦେବଦଳନ ରଥର ୭ଦଣ୍ଡା । ଅଖ ଉପରେ ଦଣ୍ଡା ରହିବ । ତାଳଧ୍ୱଜ ରଥ ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ରୂପକାର ସେବକମାନେ ତିନି ରଥର କୋଣ ଗୁଜରେ ରୂପ ଖୋଦେଇ ସାରି ତୀଖ ଗୁଜରେ ସିଂହବିରାଳ ମୂର୍ତ୍ତି ତିଆରୁଛନ୍ତି । ଦୋଳବେଦି ପରିସରରେ ଓଝା ସେବକମାନେ ଗରଗରା କଣ୍ଟା, ଗୟଳ କଣ୍ଟା, ଛନ୍ଦା ଗୟଳ କଣ୍ଟା ତିଆରୁଛନ୍ତି ।

Leave A Reply

Your email address will not be published.