ଅଣସର ଘରେ ଜ୍ବରରେ ପୀଡିତ ମହାପ୍ରଭୁ, ଶ୍ରୀମନ୍ଦିରରେ ପୂଜା ପାଇଲେ ପଟି ଦିଅଁ

ପୁରୀ ୧୫।୦୬ : ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ । ବଡ଼ି ଭୋରରୁ ପଟିଦିଅଁ ଓ ଅନ୍ୟ ଦେବାଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। ବାହୁଡ଼ା ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀଜିଉଙ୍କ ସୁନା ଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁନା ଅଳଙ୍କାର ଆଦି ଦଇତାପତି ସେବକମାନେ ଭଣ୍ଡାର ମେକାପଙ୍କ ଜିମା ଦେଇଛନ୍ତି। ପରେ ଅଣସର ତାଟି ବନ୍ଧା ଯାଇଥିଲା। ଶ୍ରୀଜିଉଙ୍କ ଅଣସର ନୀତି ୧୪ ଦିନ ଧରି ଚାଲିବ। ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ପଟିଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ମା’ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ-କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ। ଆଜିଠୁ ଗୁପ୍ତ ନୀତି ଆରମ୍ଭ ହେବ। ଜୟବିଜୟ ଦ୍ବାର ବନ୍ଦ ଓ ବେହେରଣ ଦ୍ବାର ଫିଟିବା ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଅଣସରର ଗୁପ୍ତନୀତି ପାଇଁ ପ୍ରତିଦିନ ବେହେରଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଅଣସରର ଗୁପ୍ତ ନୀତି ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବା ସହ ରଥଯାତ୍ରାରେ ବାହାରକୁ ବାହାରିବେ। ଏହି ୧୪ ଦିନ ପଟିଦିଅଁମାନେ ଶ୍ରୀମନ୍ଦିର ଅଣସର ତାଟି ନିକଟରେ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ଛପନ ପଉଟି ଭୋଗ ଲାଗି ହେବ। ଏହି ସମୟରେ ମହାପ୍ରଭୁଙ୍କଠାରେ ଫଳ ଆଦି ଲାଗି ହେବ। ଘନ ଅନ୍ଧକାର ଭିତରେ ଏହି ଭୋଗ ଲାଗି ସହ ଗୁପ୍ତ ସେବା ଅନୁଷ୍ଠିତ ହେବ।

Leave A Reply

Your email address will not be published.