ତଥ୍ୟ ଲୁଚାଉଛି ପରିବହନ ଅଫିସ୍‌! ବିନା ପରମିଟ୍‌, ଇନ୍‌ସ୍ୟୁରାନ୍ସ ଗଢ଼ୁଛି ଗାଡ଼ି

ରାଉରକେଲା: କିଛି ମାସର ବ୍ୟବଧାନ ପରେ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଚାଲିଛି ଦଲାଲ ରାଜ୍‌। ତତ୍କାଳୀନ ପରିବହନ ଅଧିକାରୀ ଅଶୋକ ଜେନାଙ୍କ ସମୟରେ ଉଦିତନଗର ପୁଲିସ ଏମାନଙ୍କୁ ସାବାଡ଼ କରିଥିଲେ। ତତ୍କାଳନୀ ଏସ୍‌ପି ସାର୍ଥକ ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଗଠିତ ସ୍ବତନ୍ତ୍ର ପୁଲିସ ଟିମ୍‌ ଘନ ଘନ ଚଢ଼ଉ କରି ୪୦ରୁ ଅଧିକ ଏଜେଣ୍ଟ (ଦଲାଲ)କୁ ଗିରଫ କରିଥିଲା। ଫଳରେ ଦଲାଲମୁକ୍ତ ହୋଇଥିବା ରାଉରକେଲା ଆର୍‌ଟିଓ ଅଫିସ୍‌। ଏବେ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ପ୍ରତ୍ୟେକ ବିଭାଗରେ କିଛି ତଥାକଥିତ ଦଲାଲ ରାଜ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ପ୍ରୋତ୍ସାହନରେ ଏମାନେ ଗାଡି ଚାଳକଙ୍କୁ ଲୁଟୁଛନ୍ତି। ଆଶ୍ଚର୍ଯ୍ୟର କଥା, ଏମାନଙ୍କୁ ବାରଣକରିବା ପରିବର୍ତ୍ତେ ଓଲଟା ପ୍ରତ୍ୟେକ ବିଭାଗରେ କାମ କରିବାକୁ ସୁ‌ଯୋଗ ଦିଆଯାଉଥିବା ଅଭିଯୋଗ ହେଉଛି। ବିଭିନ୍ନ ବିଭାଗରେ ଚାଲିଥିବା ଅନିୟମତା‌ ଲୁଚାଇବାକୁ ତଥ୍ୟ ଦେଉ ନାହାନ୍ତି ବିଭାଗୀୟ ଅଧିକାରୀ। ଯାହା ସୂଚନା ଅଧିକାରୀ ଆଇନ ବଳରେ ମିଳିଥିବା ତଥ୍ୟ ଜଣାପଡିଛି। ଗତ ୭ ବର୍ଷରେ ପଞ୍ଜିକୃ୍ତ ଗାଡ଼ିଗୁଡ଼ିକ ମଧ୍ୟରୁ କେତେ ଗାଡିର ଇନ୍ସ୍ୟୁରାନ୍ସ, ପରମିଟ୍‌, ପଲ୍ୟୁସନ୍‌ ସାର୍ଟିଫିକେଟ ନାହିଁ ? ଏଥିରେ ଦୁଇ ଚକିଆ, ତିନି ଚକିଆ,‌ ଚାରି ଚକିଆ, ବସ୍‌, ଟ୍ରକ, ଟିପ୍ପର ଓ ଅନ୍ୟ ଗାଡି କେତେ ବୋଲି ସୂଚନା ମଗାଯାଇଥିଲା। ଆର୍‌ଟିଓ ଅଫିସ୍‌ରେ ଏହାର କୌଣସି ତଥ୍ୟ ନାହିଁ ବୋଲି ସୂଚନା ଦେଇଥିଲେ ଅନ୍ୟପଟେ ୭ ବର୍ଷ କେତେ ଗାଡି ପଞ୍ଜିକୃତ ହୋଇଛି ତା’ର ତଥ୍ୟ ଆର୍‌ଟିଓ ଅଫିସ୍‌ରେ ଉପଲବ୍ଧ ଅଛି। ଗତ ୨୦୧୫ରୁ ୨୦୨୧-୨୨ ମଧ୍ୟରେ ଆର୍‌ଟିଓରେ ୪୯ଟି ସ୍କୁଲ ବସ୍‌, ୧ଲକ୍ଷ ୪୯ ହଜାର ୮୭୭ ଦୁଇ ଚକିଆ, ୫, ୭୨୫ଟି ତିନି ଚକିଆ, ୫, ୮୨୨ ଟ୍ରକ ଓ ଟିପ୍ପର, ୨୯୪ ଜେସିବି, ୨୧୦ଟି ନାଇଟ୍‌ କୋଚ୍‌ ଓ ସାଧାରଣ ବସ୍‌ ପଞ୍ଜିକୃତ ହୋଇଛି। ଯଦି ଗାଡିଗୁଡ଼ିକର ପଞ୍ଜିକରଣ ତାଲିକା ବିଭାଗୀୟ ଅଧିକାରୀଙ୍କ ପାଖରେ ରହିପାରୁଛି। ନିୟମ ଖିଲାପକାରୀ ଗାଡ଼ିଗୁଡ଼ିକ ତଥ୍ୟ କେମିତି ରହୁ ନାହିଁ, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ନିୟମ ଖିଲାପକାରୀ ଗାଡି ମାଲିକଙ୍କ ସହ ପରିବହନ ଅଧିକାରୀମାନେ ଭିତିରି ସଲସୁତରା କରି ଏଭଳି ବେଆଇନ କାମ କରୁଛନ୍ତି। ଯାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। କେବଳ ଗୋଟିଏ ଘଟଣା ନୁହେଁ। ପ୍ରତ୍ୟେକ ଦିନ ଆର୍‌ଟିଓରେ ୧୦୦ଟି ଏଲ୍‌ଏଲ୍‌ (ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ) କରାଯାଉଛି। କେତେ ପିଲା ପାସ୍‌ କରୁଛନ୍ତି ଓ କେତେ ପିଲା ଫେଲ୍ ହେଉଛନ୍ତି, ତା’ର କୌଣସି ସୂଚନା ନାହିଁ।

Leave A Reply

Your email address will not be published.