ଜୁନ୍‌ ହେବ ଅତି ନିଅଣ୍ଟିଆ ମୌସୁମୀ ମାସ

ଭୁବନେଶ୍ବର : ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ‌ମୌସୁମୀ ବିଳମ୍ବରେ ପ୍ରବେଶ କରିଥିବା ବେଳେ ଏବେ ଜୁନ୍‌ରେ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହେଲାଣି। ଆସନ୍ତା ୨ ଦିନ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାଣ୍ଣିଂ ଜାରି ହୋଇଥିଲେ ସୁଦ୍ଧା ଏହା ଜୁନ୍‌ର ନିଅଣ୍ଟିଆ ବର୍ଷା ପରିମାଣକୁ କମାଇ ପାରିବ ନାହିଁ। ଜୁନ୍‌ ୧ରୁ ୨୩ ତାରିଖ ମଧ୍ୟରେ ରାଜ୍ୟରେ ୪୪ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇସାରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, କନ୍ଧମାଳ, ସମ୍ବଲପୁର ଓ ବରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନ‌ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିସହ ୨୫ ତାରିଖ ପାଇଁ ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୬ ତାରିଖ ଦିନ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ତେବେ ୨୮ ତାରିଖ ଯାଏ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବା ସୂଚନା ମିଳିଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ। ୨୪ ଓ ୨୫ ତାରିଖରେ କେତେକ ସ୍ଥାନରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ତ୍ତମାନ ‘ମୌସୁମୀ ଘୂର୍ଣ୍ଣିବଳୟ’ ସୃଷ୍ଟି ହୋଇନଥିବାରୁ ମୌସୁମୀ ବାୟୁ ପ୍ରବାହରେ ବାଧା ‌ସୃଷ୍ଟି ହୋଇଛି। ଅନ୍ୟପଟେ ବର୍ତ୍ତମାନ ଆରବସାଗର ବା ବଙ୍ଗୋପସାଗର ନିକଟରେ ଲଘୁଚାପ ସୃଷ୍ଟି ହେବାର ସଙ୍କେତ ମିଳୁନାହିଁ। ଏଣୁ ଜାତୀୟସ୍ତରରେ ମୌସୁମୀ ବର୍ଷା ଆଗେଇ ପାରୁନାହିଁ। ଫଳରେ ଏବେ ‘ମୌସୁମୀ ବିରତି’ ସୃଷ୍ଟି ହୋଇଛି। ଜୁନ୍‌ରେ ନିଅଣ୍ଟିଆ ବର୍ଷା ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ଆସନ୍ତା ୨୯ ତାରିଖରୁ ମୌସୁମୀ ଘୂର୍ଣ୍ଣିବଳୟ ସୃଷ୍ଟି ହେବାରେ କ୍ରମଶଃ ସୁଧାର ଆସିବାର ସମ୍ଭାବନା ରହିଛି। ଫଳରେ ୨୯ରୁ ବର୍ଷା ବଢ଼ିବା ସହିତ ଜୁଲାଇ ୧ ତାରିଖରୁ ମୌସୁମୀ ସକ୍ରିୟ ହେତୁ ବିସ୍ତୃତ ବର୍ଷାର ସମ୍ଭାବନା ରହିଛି। ଆକଳନ କରାଯାଉଛି, ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ସ୍ବାଭାବିକ ବର୍ଷା ହେବ।

Leave A Reply

Your email address will not be published.