ତେଲକୋଇ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ, ୪ଟି ଘର ଭାଙ୍ଗିବା ସହ ୨ଜଣଙ୍କୁ ଆକ୍ରମଣ

ତେଲକୋଇ ୨୯।୬: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଥମିବାର ନାଁ ଧରୁନି ହାତୀପଲଙ୍କ ଉପଦ୍ରବ । ଗୋଟିଏ ଦିନରେ ୪ଟି ଘର ଭାଙ୍ଗିବା ସହ ହାତୀପଲ ଦୁଇ ଜଣଙ୍କୁ ଆକ୍ରମଣ କରିଛନ୍ତି । ହାତୀପଲ କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନ ନେବା ସହ ଆକ୍ରମଣ ମଧ୍ୟ କରୁଛନ୍ତି ।ମଙ୍ଗଳବାର ବିଳମ୍ବିତ ରାତିରେ ତେଲକୋଇ ଫରେଷ୍ଟ ବିଟର କନ୍ତଲେଇ ମୁଣ୍ଡା ସାହି ଓ ବିମଳା ଫରେଷ୍ଟ ବିଟ ଗୋଳାଗାଡିଆ ମୁଣ୍ଡା ସାହିରେ ହାତୀପଲ ଉପଦ୍ରବ କରିଥିଲେ । ଦୁଇ ସାହିରେ ୪ଟି ଘରକୁ ଭାଙ୍ଗି ଧାନଚାଉଳ ଖାଇଯାଇଥିଲେ । କନ୍ତଲେଇ ମୁଣ୍ଡା ସାହିର ଲେମ୍ବୁ ମୁଣ୍ଡାଙ୍କ ଘର ଭାଙ୍ଗିବା ସହ ସୁକୁମାରୀ ମୁଣ୍ଡା ଘର ଭିତରେ ଶୋଇଥିବା ଅବସ୍ଥାରେ ହାତୀପଲ ଘର ଭାଙ୍ଗିବାରୁ ତାଙ୍କ ଉପରେ କାନ୍ଥ ପଡିଯାଇଥିଲା । ଫଲରେ ସେ ଚେତା ହରାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ରହିଛି ।ସେପଟେ ବିମଳା ଫରେଷ୍ଟ ବିଟର ଗୋଳାଗାଡିଆ ଗାଁ ମୁଣ୍ଡା ସାହିରେ ଦେବାନନ୍ଦ ମୁଣ୍ଡା ଓ ପାଣ୍ଡବ ମୁଣ୍ଡାଙ୍କ ଘର ଭାଙ୍ଗି ୭ବସ୍ତା ଚାଉଳ ଖାଇବା ସହ ଘରର ହାଣ୍ଡି କଡେଇକୁ ଦଳିମକଚି ନଷ୍ଟ ରିଦେଇଛନ୍ତି । ଦେବାନନ୍ଦ ମୁଣ୍ଡା ହାତୀ କବଳରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ହାତୀପଲ ଘର ଭାଙ୍ଗିବା ଦେଖି ଦେବାନନ୍ଦ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ସେ ଦନ୍ତା ହାବୁଡରେ ପଡିଯାଇଥିଲେ । ଦନ୍ତା ତାଙ୍କୁ ଶୁଣ୍ଢରେ ପିଟି ଦେଇଥିଲା । ଜୀବନ ବିକଳରେ ଦେବାନନ୍ଦ ଦୌଡ଼ି ପଳାଇ ଅଳ୍ପକେ ବର୍ତ୍ତିଯାଇଥିଲେ ।

Leave A Reply

Your email address will not be published.