ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ, ଦିନ ଗୋଟାଏରେ ପୁସ୍ତିକା ଲୋକାର୍ପଣ

କଟକ ୦୬।୦୭ : ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଦିନ ୧ଟାରେ କଟକସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କରିବେ। ଖବର ଅନୁଯାୟୀ, ବୁଧବାର ଦିନ ୨ଟାରେ ପରୀକ୍ଷାଫଳ ବୋର୍ଡ ୱେବ୍ ସାଇଟ୍ www.bseodisha.ac.in ଓ www.bseodisha.nic.inରେ ଉପଲବ୍ଧ ହେବ। ଇଣ୍ଟରନେଟ୍ ସଂଯୋଗ ନ ଥିବା ଅଞ୍ଚଳରେ ଏସ୍ ଏମ୍ଏସ୍ ଜରିଆରେ ଫଳାଫଳ ଜାଣିହେବ। ପରୀକ୍ଷାର୍ଥୀମାନେ OR10<Roll No> ଲେଖି 5676750 ନମ୍ବରକୁ ମେସେଜ୍ କଲେ, ଏମଏମ୍ଏସ୍ ଜରିଆରେ ପରୀକ୍ଷାଫଳ ଜାଣିପାରି ବେ। ଆଜି ସକାଳ ୧୦ଟାରେ ବୋର୍ଡର ପରୀକ୍ଷା କମିଟି ବୈଠକ ବସି ମାଟ୍ରିକ୍ ଫଳାଫଳକୁ ଅନୁମୋଦନ କରିବା ପରେ ଦିନ ୧ଟାରେ ଫଳପ୍ରକାଶ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଚଳିତ ବର୍ଷ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଏପ୍ରିଲ ୨୯ରୁ ମେ ୭ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିଥିଲା। ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।

Leave A Reply

Your email address will not be published.