କଳିଙ୍ଗ ଷ୍ଟାଡିୟମରେ ସାଫ୍ ଚାମ୍ପିଅନସିପ୍ : ଅଂଶ ଗ୍ରହଣ କରିବେ ୫ ଦଳ

ଭୁବନେଶ୍ୱର ୨୧/୦୭:  ପୁରୁଷ ୨୦ ବର୍ଷରୁ କମ୍‌ ଦକ୍ଷିଣ ଏସିଆ ଫୁଟବଲ୍‌ ଫେଡେରେସନ୍‌ (ସାଫ୍‌) ଚାମ୍ପିଅନସିପ୍‌ର ଚତୁର୍ଥ ସଂସ୍କରଣ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ଏ ବିଷୟରେ ସର୍ବଭାରତୀୟ ଫୁଟବଲ୍‌ ସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଘୋଷଣା କରାଯାଇଛି । ଏହି ଚାମ୍ପିଅନସିପ୍‌ ଆସନ୍ତା ୨୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖରେ ଶେଷ ହେବ । ପୂର୍ବରୁ ଭୁବନେଶ୍ୱର ଭେନ୍ୟୁ ତାଲିକାରେ ନଥିଲା । ଶେଷ ମୁହୂର୍ତ୍ତରେ କଳିଙ୍ଗ ଷ୍ଟାଡିୟମକୁ ଭେନ୍ୟୁ ଭାବେ ଘୋଷଣା କରାଯାଇଛି । ମୋଟ୍‌ ୫ଟି ଦଳ ଏଥିରେ ଅଂଶ ଗ୍ରହଣ କରିବେ । ସେମାନେ ହେଲେ ଆୟୋଜକ ଭାରତ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ ଓ ମାଳଦ୍ୱୀପ । ଗତ ବର୍ଷ ୭ ତାରିଖରେ ଫିଫା ପାକିସ୍ତାନ ଫୁଟବଲ ଫେଡେରେସନ୍‌କୁ ବାସନ୍ଦ କରିଥିଲା । ତେଣୁ ପାକିସ୍ତାନ ଏହି ସଂସ୍କରଣରେ ଭାଗ ନେଇ ପାରିବ ନାହିଁ । ପ୍ରଥମ ଥର ପୁରୁଷ ବର୍ଗରେ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି । ଯଦିଓ ପୂର୍ବରୁ ମହିଳା ବର୍ଗରେ ଗୋଲ୍ଡ କପ୍‌ ୨୦୧୯ରେ ଖେଳାଯାଇଥିଲା । ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟର ଭାରତ-କାତାର ମ୍ୟାଚ୍‌ ଭୁବନେଶ୍ୱରରେ ଖେଳାଯିବାର ଥିଲା । କିନ୍ତୁ ମହାମାରୀ ଯୋଗୁ ଶେଷରେ ଏହି ମ୍ୟାଚ୍‌ ଆୟୋଜନ ସମ୍ଭବ ହୋଇପାରି ନଥିଲା ।

Leave A Reply

Your email address will not be published.