ଗାଁରେ ବ୍ୟାପିଛି ଝାଡ଼ାବାନ୍ତି, ଦୁଇ ଦିନରେ ଆଖିବୁଜିଲେଣି ଦୁଇ ଜଣ

ପାଟଣାଗଡ଼ ୦୫।୦୯ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ଦେଦର୍ହ ଗାଁରେ ୩୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଉକ୍ତ ଗାଁର କୁମାରୀ ମେହେର (୪୬) ଏବଂ ତାଙ୍କ ନାତି ବବଲୁ ମେହେର (୧୦)। କୁମାରୀ ଏବଂ ତାଙ୍କ ନାତି ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି। ଖବର ଅନୁଯାୟୀ, ୫ ଦିନ ହେବ ଦେଦର୍ହା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି। ଗାଁର ପ୍ରାୟ ୩୦ରୁ ଉର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଗାଁର କ୍ଷୀର କୁଅଁର, ଯୋଗେଶ୍ୱରୀ ମାଝୀ, ବେଣୁ ବରିହା, କେଶବ ଜାନି, ଗୋବିନ୍ଦ ପଧାନ, ହେମନ୍ତ ମାଝୀ, କୁନ୍ଦୁରୁ ଜାନି, ରଶ୍ମିତା ସାହୁ ଓ ଗ୍ରାମର ୩୦ରୁ ଅଧିକ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ରବିବାର ରାତି ପ୍ରାୟ ସାଢେ ୯ଟା ବେଳେ ପାଟଣାଗଡ଼ ଡାକ୍ତରଖାନାରେ ଗାଁର କୁମାରୀ ମେହେର (୪୬)ଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ସକାଳେ ତାଙ୍କ ନାତି ବବଲୁ ମେହେର (୧୦)ଙ୍କ ମୃତ୍ୟୁ ହୋଇଛି l ଗାଁରେ ଝାଡାବାନ୍ତି ରୋଗ ଥମିବାର ନା ନେଉନଥିବାରୁ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହିସବୁକୁ ଦୃଷ୍ଟିରେ ରଖି ଖପ୍ରାଖୋଲ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଡାକ୍ତର ସୁରଜଦୀପ ଦେଦର୍ହ ଗାଁକୁ ଯାଇ କ୍ୟାମ୍ପ୍ କରି ଝାଡାବାନ୍ତି, ରୋଗଗ୍ରସ୍ତ ଥିବା ରୋଗୀଙ୍କୁ ଔଷଧ ଦେଇଥିବା ପଡ଼ିଆବାହାଲ ସରପଞ୍ଚ ପ୍ରକାଶ କରିଛନ୍ତି । ଏନେଇ ଖପ୍ରାଖୋଲ ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ସୁରଜଦୀପଙ୍କୁ ପଚାରିବାରୁ ଆମ ପାଖରେ ଖବର ନଥିଲା ଆକ୍ରାନ୍ତ ଲୋକଙ୍କୁ ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି । ଖପ୍ରାଖୋଲ ସିଡିପିଓ ସୁଜାତା ଦୋରା, ସ୍ଥାନୀୟ ସରପଞ୍ଚ ଦେବରାଜ ପଧାନ ପ୍ରମୁଖ ଉକ୍ତ ମେଡିକାଲ କ୍ୟାମ୍ପରେ ଉପସ୍ଥିତ ଥିବା ଜଣାଯାଇଛି l

Leave A Reply

Your email address will not be published.