ଦୁଇ ବର୍ଷ ପରେ ଚମକିବ ସିଲଭର ସିଟି, ଦୂର୍ଗାପୂଜା ଲାଗି ଚାଲିଲାଣି ପ୍ରସ୍ତୁତି

କଟକ ୦୬/୦୯: ଦୁଇ ବର୍ଷ ପରେ ଚଳିତ ବର୍ଷ ଆଡମ୍ବରରେ ହେବ ଦୂର୍ଗାପୂଜା । ଭାଇଚାରାର ସହର କଟକରେ ଏବେଠାରୁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ସୁନା ଚାନ୍ଦି ମେଢରେ ଝଲସିବେ ମା । ସେଥିପାଇଁ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇ ଯାଇଛି ଚାନ୍ଦି ସଫା କାମ । ଚାନ୍ଦି ସଫା ଶେଷ ହେବା ପରେ ମୂର୍ତ୍ତି ତିଆରି ଆରମ୍ଭ ହେବ ବୋଲି କହିଛନ୍ତି ପୂଜା କମିଟି । ଝଲସିବ କଟକ ସହର ଓ ସୁନା ଚାନ୍ଦି ଅଳଙ୍କାରରେ ଚମକିବେ ମା । ଦୀର୍ଘ ଦୁଇ ବର୍ଷ ପରେ କଟକରେ ଜାଜଜମକରେ ହେବ ଦଶହରା । ସେଥିପାଇଁ ପ୍ରସ୍ତୁତିରେ ଲାଗି ପଡିଲେଣି ପୂଜା କମିଟି। ଚାନ୍ଦି ମେଢ କରୁଥିବା ମଣ୍ଡପରେ ଆରମ୍ଭ ହେଲାଣି ମାଙ୍କ ଚାନ୍ଦି ସଫା ଓ ପଲିସ କାମ। ସଫାସଫି କାମ ପାଇଁ ପନ୍ଦର ଦିନ ଲାଗୁଥିବାରୁ ପ୍ରଥମେ ଚାନ୍ଦି ସଫା କାମ କରାଯାଏ। ଏହା ପରେ ଆରମ୍ଭ ହୁଏ ମାଙ୍କ ମୂର୍ତ୍ତି ଗଢା । ହରିପୁର ଦୋଳମୁଣ୍ଡାଇ ପୂଜା କମିଟିରେ ଚାନ୍ଦି ସଫେଇ କାମରେ ଲାଗିଛନ୍ତି ପ୍ରାୟ ଛଅ ଜଣ କାରିଗର । ଦୀର୍ଘ ଦୁଇ ବର୍ଷ ପରେ ସ୍ବାଭାବିକ ମୂର୍ତ୍ତି ହେବା ସହ ଚାନ୍ଦି ମେଢରେ ସଜେଇ ହେବେ ମାଆ । ସେଥିପାଇଁ ଦିନରାତି ଏକ କରି ଚାନ୍ଦି ସଫେଇ କରିବା ସହ ପଲିସ କରୁଛନ୍ତି । ଗୋଟିଏ ଚାନ୍ଦି ମେଢ ସଫା କରିବା ଓ ପଲିସ କରିବାକୁ କାରିଗର ମାନେ ପଚାଶ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ନେଉଥିବା କହିଛନ୍ତି ପୂଜା କମିଟି ସମ୍ପାଦକ।

Leave A Reply

Your email address will not be published.