କୁମ୍ଭାରୀ ପଦର ଗାଁ ମୁଣ୍ଡ ପାହାଡ଼ରେ ଭୁସ୍ଖଳନ

ବାଲିଗୁଡା ୨୪/୦୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ହତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି କୁମ୍ଭୀର ପଦର ଗ୍ରାମକୁ ଲାଗି ରହିଥିବା ପାହାଡ଼ରେ ଭୁସ୍ଖଳନ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି । ଖବର ପାଇଁ ଦାରିଙ୍ଗବାଡ଼ି ଅତିରିକ୍ତ ତହସିଲଦାର ଭାବେଷ ମାଝୀ ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକ ରଞ୍ଜିତ କୁମାର କହଁର ସମେତ ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀ ଘଟଣା ସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି । ସୁଚନା ଅନୁଯାୟୀ ଚଳିତ ଲଗାଣ ବର୍ଷାରେ ଗାଁ ମୁଣ୍ଡରେ ଋଷିମାଳ ପାହାଡ଼କୁ ଲାଗି ରହିଥିବା ପାହାଡ଼ ରେ ଭୁସ୍ଖଳନ ଦେଖାଦେଇଛି । ଗତ ବର୍ଷ ମଧ୍ୟ ସେହି ସମାନ ଜାଗାରେ ଭୁସ୍ଖଳନ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପ୍ରଶାସନ ପକ୍ଷରୁ ଆଜ ଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ନେଇ ଗ୍ରାମବାସୀ କହିଛନ୍ତି । ଏହି ବର୍ଷ ଅଧିକ ମାତ୍ରାରେ ଭୁସ୍ଖଳନ ହୋଇଛି ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି । ପାହାଡ଼ ମୁଣ୍ଡରୁ ପ୍ରାୟ ଏକ କିମି ପାହାଡ଼ ଧସି ଯାଇଥିବାବେଳେ ଅଧ କିମି ରାସ୍ତା ବିଚ୍ଛିନ୍ନ ହୋଇଛି ଯାହା ଫଳରେ ସେହି ରାସ୍ତା ଦେଇ କାଟିଙ୍ଗିଆ, ପଣସ ପଦର, ଗଞ୍ଜାମ ଜିଲ୍ଲାର ସଲିମା ଗୋଛାକୁ ଯାତାୟାତ ବନ୍ଦ ରହିଛି । ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇପ ବିଚ୍ଛେଦ ହୋଇଛି। ସ୍ଥାନେ ସ୍ଥାନେ ପାହାଡ଼ରେ ଗର୍ତ ସୃଷ୍ଟି ହୋଇଛି । ତୁହାକୁ ତୁହା ବର୍ଷା ଲାଗି ରହୁଥିବାରୁ ବିପଦ ଆଶଙ୍କା ବଢ଼ିବାରେ ଲାଗିଛି । ଏଣୁ ଗ୍ରାମବାସୀ ସମ୍ପୂର୍ଣ୍ଣ ଭୟଭୀତ ଥିବା ବେଳେ ପ୍ରଶାସନ ପଦକ୍ଷେପକୁ ଅନାଇ ବସିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.