ବ୍ରିଜ୍ ନିର୍ମାଣରେ ବିଳମ୍ବ ନେଇ ତାତିଲେ ଲୋକେ

ବରଗଡ ୩୦/୦୯: ଅମ୍ବାପାଳି ଜିରା ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ନେଇ ରାସ୍ତାରୋକ ଆନ୍ଦୋଳନ କଲେ ଅମ୍ବାପାଳି ଗ୍ରାମବାସୀ ଓ ଅଞ୍ଚଳବାସୀ । ବରଗଡ -ବଲାଙ୍ଗୀର ଜାତୀୟ ରାଜପଥକୁ ଅବରୋଧ କରିବା ସହ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନକାରୀ । ରାସ୍ତାରୋକ ଫଳରେ ଶହ ଶହ ଗାଡ଼ି ମୋଟର ରାଜରାସ୍ତାରେ ଅଟକି ରହିଛି । ଶହ ଶହ ମହିଳା ଓ ପୁରୁଷ ରାଜରାସ୍ତାରେ ବସି ଆନ୍ଦୋଳନ କରୁଛନ୍ତି । ବରଗଡ଼-ଅମ୍ବାପାଳିକୁ ସଂଯୋଗ କରୁଥିବା ଜିରା ନଦୀ ଉପରେ ବ୍ରିଜ୍ କାମ ଅସମ୍ପୂର୍ଣ୍ଣ ଓ ଅହେତୁକ ବିଳମ୍ବ ପ୍ରତିବାଦରେ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଥିବା ବେଳେ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି । ଜିଲ୍ଲା ପ୍ରଶାସନର ଅବହେଳା ଓ ରାଜନୈତିକ ମନୋଭାବ ଯୋଗୁଁ ବ୍ରିଜ୍ କାମ ସମ୍ପୂର୍ଣ୍ଣ ହୋଇପାରୁନଥିବା ଅମ୍ବାପାଲିବାସୀ ଅଭିଯୋଗ କରିଛନ୍ତି । ୨୦୧୮ ମେ ମାସରୁ ବ୍ରିଜ୍ କାମ ଆରମ୍ଭ ହୋଇଥିଲା ଓ ୨୦୨୦ ନଭେମ୍ବର ଶେଷ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ୨୦୨୦ ବର୍ଷ ଶେଷ ହୋଇ ୨୦୨୨ ଶେଷ ହେବାକୁ ବସିଲାଣି କିନ୍ତୁ ବ୍ରିଜ୍ କାମ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ତେଣୁ ବାଧ୍ୟ ହୋଇ ଆଜି ଅମ୍ବାପାଳି ବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଆସି ଲିଖିତ ପ୍ରତିଶ୍ରୁତି ଦେବା ସହ ବ୍ରିଜ କାମକୁ ଯୁଦ୍ଧ କାଳୀନ ପରିସ୍ଥିତିରେ ଶେଷ କରିବାକୁ ଲୋକେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ କରାଯିବ ବୋଲି ଲୋକେ କଡ଼ା ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.