ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା

ଭୁବନେଶ୍ୱର । ଗୁରୁବାର ଏମିତି ଲଗାଣ ବର୍ଷା ହେଲା ଯେ ବର୍ଷାରେ ବତୁରିଗଲା ଭସାଣ ଉତ୍ସବ । ଉପକୂଳ ଓଡ଼ିଶା ନାକେଦମ ହୋଇଥିଲା ବର୍ଷାରେ । ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ପୁଣି ଏକ ଘୂର୍ଣ୍ଣିବଳୟ ଆସୁଛି ବଙ୍ଗୋପସାଗରରେ । ଖାଲି ସେତିକି ନୁହେଁ, ଏ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ପ୍ରକ୍ରିୟା ବିଳମ୍ବିତ ହେବ । ଆସନ୍ତା ୨୫ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଛାଡ଼ିବା ସମ୍ଭାବନା କ୍ଷୀଣ । ଅର୍ଥାତ୍‌ ବର୍ଷା ଅବଧି ଏ ବର୍ଷ ଟିକିଏ ଲମ୍ବା ରହିବ । ମଝିରେ ମଝିରେ ବର୍ଷା ଲାଗି ରହିବ । ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି) ସୂଚନା ମୁତାବକ, ଆସନ୍ତା ୧୩ରୁ ୧୬ ତାରିଖ ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ସେ ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରାଯାଇନି । ତଥାପି ରାଜ୍ୟରେ ବର୍ତ୍ତମାନ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ହେବ ।ଶୁକ୍ରବାର ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ । ୮ରେ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ଜାଗାରେ ବର୍ଷା ସମ୍ଭାବନା ଅଛି । ୯ରେ ଅନେକ ଜାଗାରେ ବର୍ଷା ସମ୍ଭାବନା ଥିବାବେଳେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା ଓ କୋରାପୁଟର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । କୃଷି ପାଣିପାଗ ବିଶାରଦ ଡକ୍ଟର ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ଏହା ତାମିଲନାଡ଼ୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳକୁ କ୍ରମଶଃ ମୁହାଁଇବ । ୮ରେ ଏହା ଲଘୁଚାପ ରୂପ ନେଇପାରେ ।

Leave A Reply

Your email address will not be published.