ଓଡିଶାକୁ ପୁଣି ଅକ୍ଟୋବରରେ ବାତ୍ୟା ଭୟ

ଭୁବନେଶ୍ୱର ୧୧।୧୦ : ଅକ୍ଟୋବର ତୃତୀୟ ସପ୍ତାହବେଳକୁ ବାତ୍ୟା ଆଶଙ୍କା କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି । ଅତି ଭୀଷଣ ରୂପ ନେବ । ୨୧ ରୁ ୨୨ ତାରିଖ ମଧ୍ୟରେ ପାରାଦୀପରୁ ବାଲେଶ୍ୱର ଭିତରେ ମାଡ଼ ହେଇପାରେ। ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଟ୍ରପିକାଲ୍‌ ଟିଡ୍‌ବିଟ୍ସର ପୂର୍ବାନୁମାନ ଚିତ୍ରରେ ଏଭଳି ଆକଳନ କରାଯାଉଛି । ଏହି ବିଦେଶୀ ପାଣିପାଗ ପୂର୍ବାନୁମାନ ଚିତ୍ର ଦେଖିଲେ ଜଣାପଡ଼ୁଛି, ଆସନ୍ତା ୧୬ ତାରିଖବେଳକୁ ଆଣ୍ଡାମାନ ଉପକୂଳର ପଶ୍ଚିମରେ ଲଘୁଚାପ ସୃଷ୍ଟି ହେବ । ସମୁଦ୍ର ପତ୍ତନ ତାପମାତ୍ରା ୨୯ରୁ ୩୦ ଡିଗ୍ରୀ ସେଲ୍‌ସିୟସ ଥିବ । ଲଘୁଚାପ ଘନୀଭୂତ ହେବା ପାଇଁ ଏହା ଅନୁକୂଳ । ସ୍ଥଳଭାଗରେ ମାଡ଼ ହେବା ପୂର୍ବରୁ ପ୍ରାୟ ୫ ଦିନ ଏହି ସମୁଦ୍ର ଭିତରେ ରହିବ ବଳ ଗୋଟାଇବ । ସମ୍ଭାବ୍ୟ ଚିତ୍ରରେ ବାୟୁ ଚାପ ଯେଉଁଭଳି ହ୍ରାସ ପାଉଛି, ତାହା ଭୟଙ୍କର ରୂପ ନେବା ଆଶଙ୍କାକୁ ବଢ଼ାଉଛି । ସମ୍ଭାବ୍ୟ ଚିତ୍ରରୁ ଜଣାପଡ଼ୁଛି, ୧୮ ତାରିଖ ରାତିରେ ଏହା ବାତ୍ୟା ରୂପ ନେଇପାରେ । ସେତେବେଳେ ବାୟୁର ଚାପ (ଏୟାର ପ୍ରେସର) ୯୭୭ ଥାଇପାରେ । ୧୯ ତାରିଖବେଳକୁ ଆହୁରି ଘନୀଭୂତ ହେବ । କ୍ରମଶଃ ମୁହାଁଇବ ଓଡ଼ିଶା ଉପକୂଳ ଆଡ଼କୁ । ୧୯ରେ ବାୟୁର ଚାପ କମି ୯୪୭ ହୋଇଯିବ । ୨୦ ତାରିଖକୁ ବାୟୁର ଚାପ ୯୨୬ ଥିବ, ସେତେବେଳେ ଏହା ଓଡ଼ିଶା ଉପକୂଳ ପାଖାପାଖି ଥିବ ।ବାୟୁର ଚାପ ଯେଉଁଭଳି ହ୍ରାସ ପାଉଛି, ଏଥିରୁ ଅନୁମାନ କରାଯାଉଛି ସମ୍ଭାବ୍ୟ ବାତ୍ୟା ସେତେବେଳେ ଅତି ଭୟଙ୍କର (ଏକ୍ସଷ୍ଟ୍ରିମଲି ସିଭିୟର ସାଇକ୍ଲୋନ) ରୂପରେ ଥାଇପାରେ । ୨୦ ତାରିଖରେ ହିଁ ଏହା ଓଡ଼ିଶା ଉପକୂଳରେ ଘଷି ହେବା ସମ୍ଭାବନା ରହିଛି । ୨୧ ତାରିଖବେଳକୁ ଓଡ଼ିଶା ଉପକୂଳରେ ସ୍ଥଳଭାଗକୁ ପଶିବ । ପାରାଦୀପରୁ ବାଲେଶ୍ୱର ମଧ୍ୟରେ ମାଡ଼ ହେବ ବୋଲି ଟ୍ରପିକାଲ ଟିଡ୍‌ବିଟ୍‌ସର ପୂର୍ବାନୁମାନ ମାନଚିତ୍ର ଦର୍ଶାଉଛି । ସ୍ଥଳଭାଗରେ ପ୍ରବେଶ ପରେ କ୍ରମେ ଦୁର୍ବଳ ହୋଇ ମଧ୍ୟ ଓଡ଼ିଶା ଦେଇ ପଶ୍ଚିମ ଓଡ଼ିଶା ଦିଗକୁ ଯିବ ।

Leave A Reply

Your email address will not be published.