କମିଟି ଗଠନ ହୋଇନି, ୧୬ରେ ଆସୁଛନ୍ତି ଏଆଇଜି ପ୍ରତିନିଧି

କଟକ : ଏସ୍‌ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଲିଭର ପ୍ରତିରୋପଣ ବ୍ୟବସ୍ଥାର ତଦାରଖ ପାଇଁ ପୁଣି ଆସନ୍ତା ୧୬ ତାରିଖରେ ଆସିବେ ହାଇଦ୍ରାବାଦ୍‌ ଏସିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି)ର ପ୍ରତିନିଧି ଦଳ। ଲିଭର ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ପାଇଁ ପୂର୍ବରୁ ସେମାନେ ଯେଉଁ ପରାମର୍ଶ ଦେଇଯାଇଥିଲେ, ତାହାର କାର୍ଯ୍ୟକାରିତାର ସମୀକ୍ଷା କରିବେ। ଏହି ପ୍ରତିନିଧି ଦଳ ଦୁଇଦିନ ଏସ୍‌ସିବିରେ ରହି ଓଟି, ଆଇସିୟୁ ବ୍ୟବସ୍ଥା‌ ଓ ଉପକରଣ ଇତ୍ୟାଦିର ସମୀକ୍ଷା କରିବେ। ଲିଭର ପ୍ରତିରୋପଣ ବ୍ୟବସ୍ଥା ପାଇଁ ଯେଉଁ ଟିମ୍‌ ଗଠନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ, ସେହି ଟିମ୍‌ର ସଦସ୍ୟମାନଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏ ସଂପର୍କରେ ଏଆଇଜି କର୍ତ୍ତୃପକ୍ଷ ଇତିମଧ୍ୟରେ ଡିଏମ୍‌ଇଟିଙ୍କୁ ଚିଠି କରି ଜଣାଇଛନ୍ତି। ଏଆଇଜି ପ୍ରତିନିଧି ଦଳ ନଭେମ୍ବର ୫ ତାରିଖରେ ଏସ୍‌ସିବି ଗସ୍ତରେ ଆସି ଚିକିତ୍ସା, ତାଲିମ୍‌ ବ୍ୟବସ୍ଥା ପାଇଁ କୋର୍‌ କମିଟି ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ଯେଉଁମାନେ ପୂର୍ବରୁ ଲିଭର ପ୍ରତିରୋପଣ ସଂପର୍କରେ ତାଲିମ୍‌ ନେଇଥିଲେ, ସେହି ବିଶେଷଜ୍ଞ, ପାରାମେଡିକାଲ କର୍ମଚାରୀଙ୍କୁ ଏକାଠି କରିବା ଏବଂ ଯେଉଁମାନେ ଏଥିପାଇଁ ଆଗ୍ରହୀ, ସେମାନଙ୍କୁ ନେଇ କୋର କମିଟି ଗଠନ ଉପରେ ଗୁରୁତ୍ବ ଦେଇଥିଲେ। ଏଯାଏ ଏହି ଟିମ୍‌ ଗଠନ କରାଯାଇନଥିବା ଜଣାପଡ଼ିଛି। କିନ୍ତୁ, ଏଆଇଜି ପ୍ରତିନିଧି ଆସିବା ପୂର୍ବରୁ କୋର୍‌ କମିଟି ଗଠନ ସରିଥିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.