ମହିଳା ହେବେ ଉଦ୍ୟୋଗୀ, ଏସ୍‌ଏଚ୍‌ଜି ହେବ ଏସ୍‌ଏମ୍‌ଇ

ଭୁବନେଶ୍ବର : ଓଡ଼ିଶାରେ ମହିଳାଙ୍କ ସଶକ୍ତୀକରଣ ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରାଯାଇଛି। ସେମାନେ ରୋଷେଇ ଘର ଭିତରେ ସୀମିତ ନରହି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ। ସ୍ବାବଲମ୍ବୀ ହେବେ। ଏହି ମହାନ ଲକ୍ଷ୍ୟ ନେଇ ୨୦୦୧ ମସିହାରେ ରାଜ୍ୟରେ ଆରମ୍ଭ କରାଯାଇଥିବା ଏସ୍‌ଏଚ୍‌ଜି ଆନ୍ଦୋଳନକୁ ସରକାର ଆଉ ‌ପାଦେ ଆଗକୁ ନେଇଛନ୍ତି। ମହିଳା ଏସ୍‌ଏଚ୍‌ଜି ସହିତ ଯୋଡ଼ି ହୋଇଥିବା ସଦସ୍ୟାମାନଙ୍କୁ ସରକାର ଦେଶବିଦେଶର ଖ୍ୟାତନାମା ଉଦ୍ୟୋଗୀରେ ପରିଣତ କରିବେ। ଏଥିପାଇଁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ୨୦୨୨ର ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ କେତୋଟି ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର ପ୍ରତି ଜିଲ୍ଲାର ଏସ୍‌ଏଚ୍‌ଜି ଫେଡେରେସନକୁ ୧ କୋଟି ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ଯୋଗାଇ ଦେବେ। ସେହଭଳି ବ୍ଲକ ସ୍ତରରେ ପ୍ରତି ଫେଡେରେସନକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଏହି ଫେ‌ଡେରେସନଗୁଡ଼ିକ ଉକ୍ତ ଅର୍ଥକୁ ଋଣ ଆକାରରେ ପ୍ରଦାନ କରି ସୁଧ ପାଇପାରିବେ। ଏହା ସେମାନଙ୍କ ବିକାଶରେ ସହାୟକ ହେବା ସହିତ ମହିଳା ଉଦ୍ୟୋଗୀଙ୍କୁ ଅଧିକ ସଶକ୍ତ କରିବ। ମିସନ ଶକ୍ତି ଫେଡେରେସନ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ ହୋଇପାରିବେ। ଅର୍ଥାତ୍ ମିନି ବ୍ୟାଙ୍କ ଭାବେ କାର୍ଯ୍ୟ କରିବ। ଏଥିସହିତ ଗ୍ରାମପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଓ ନିଜସ୍ବ ଅଫିସ ଗୃହ ନିର୍ମାଣ ହେବ। ପ୍ରତ୍ୟେକ ଜିଲ୍ଲାରେ ଏସ୍‌ଏଚ୍‌ଜିଙ୍କ ପାଇଁ ମାଇକ୍ରୋ ଓ ମିନି ଶିଳ୍ପ ପାର୍କ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Leave A Reply

Your email address will not be published.