ରାଜ୍ୟ ମାନ୍ୟତା ସୂଚକାଙ୍କ ଶୀର୍ଷରେ ଓଡ଼ିଶା

ଭୁବନେଶ୍ବର : ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର କାର୍ଯ୍ୟକାରିତାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ରାଜ୍ୟ ମାନ୍ୟତା ସୂଚକାଙ୍କ ୫ ଜୁଲାଇ, ୨୦୨୨ରେ ଜାରି କରାଯାଇଥିଲା। ଏହି ମାନ୍ୟତାରେ ଓଡ଼ିଶା ୦.୮୩୬ ସ୍କୋର ସହିତ ପ୍ରଥମ ସ୍ଥାନ ହାସଲ କରିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଲକ୍ଷ୍ୟ ଆଧାରିତ ସାଧାରଣ ବଣ୍ଟନ ପ୍ରଣାଳୀ (ଟିପିଡିଏସ୍) କାର୍ଯ୍ୟକାରୀ କରାଯାଉଛି। କେନ୍ଦ୍ର ସରକାର ଏହି ଦୁଇଟି ଯୋଜନାରେ ଖାଦ୍ୟଶସ୍ୟ ବିତରଣର ମୂଲ୍ୟାଙ୍କନ କରୁଛନ୍ତି। ଏହି କ୍ରମରେ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ଏନ୍‌ଏଫ୍‌ଏସ୍‌ଏ ମୂଲ୍ୟାଙ୍କନ ସୂଚକାଙ୍କ ପ୍ରକାଶିତ ହୋଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ଏହି ସୂଚକାଙ୍କ ତିନୋଟି ସ୍ତମ୍ଭ ଉପରେ ଆଧାରିତ ଯାହାକି ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନର ବିଭିନ୍ନ ଦିଗକୁ ବିବେଚନା କରିଥାଏ। ପ୍ରତ୍ୟେକ ସ୍ତମ୍ଭରେ ବିଭିନ୍ନ ମାପଦଣ୍ଡ ରହିଛି ଯାହା ଏହି ମୂଲ୍ୟାଙ୍କନକୁ ସମର୍ଥନ କରିଥାଏ। ପ୍ରଥମ ସ୍ତମ୍ଭରେ ଏନ୍‌ଏଫ୍‌ଏସ୍‌ଏ, ଉପଯୁକ୍ତ ହିତାଧିକାରୀଙ୍କୁ ସାମିଲ କରିବା ଏବଂ ଏନ୍‌ଏଫ୍‌ଏସ୍‌ଏ ଅଧୀନରେ ସବୁ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଦ୍ବିତୀୟ ସ୍ତମ୍ଭ ବିତରଣ ପ୍ଲାଟଫର୍ମକୁ ବିଶ୍ଳେଷଣ କରିଥାଏ ଏବଂ ଏଥିରେ ଖାଦ୍ୟ ଶସ୍ୟ ଆବଣ୍ଟନ, ଏହାର ପରିବହନ ଏବଂ ଅନ୍ତିମ ସୋପାନରେ ଥିବା ସୁଲଭ ବିକ୍ରୟ କେନ୍ଦ୍ରରେ ପହଞ୍ଚାଇବା ପ୍ରତି ଧ୍ୟାନ ଦିଆଯାଏ। ତୃତୀୟ ସ୍ତମ୍ଭରେ ବିଭାଗର ପୁଷ୍ଟିସାଧନ ପ୍ରୟାସ ଉପରେ ଧ୍ୟାନ ଦିଆଯାଇଛି।

Leave A Reply

Your email address will not be published.