ଟେଷ୍ଟ୍‌ ଶୃଙ୍ଖଳା ୧୪ରୁ: ରୋହିତଙ୍କ ସ୍ଥାନରେ ଈଶ୍ବରନ୍‌

ନୂଆଦିଲ୍ଲୀ: ବାଂଲାଦେଶ ଗସ୍ତରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଆଗୁଆ ହାରିସାରିଥିବା ଭ୍ରମଣକାରୀ ଭାରତୀୟ ଦଳକୁ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଝଟ୍‌କା ଲାଗିଛି। ଏହାର ଅଧିନାୟକ ରୋହିତ ଶର୍ମା ଆହତ ହେବାରୁ ଟେଷ୍ଟ୍‌ ଶୃଙ୍ଖଳାରୁ ବଞ୍ଚିତ ହେବା ସ୍ପଷ୍ଟ ହୋଇଛି। ତାଙ୍କ ବାମହାତ ବୁଢ଼ା ଆଙ୍ଗୁଠି ଭାଙ୍ଗିଯାଇଥିବା ସତ୍ତ୍ବେ ବୁଧବାର ଦ୍ବିତୀୟ ଦିନିକିଆରେ ଦଳକୁ ପରାୟଜରୁ ରକ୍ଷା କରିବା ପାଇଁ ନିମ୍ନକ୍ରମରେ ବ୍ୟାଟିଂ ପାଇଁ ଆସି ଲଢ଼ିଥିଲେ ମଧ୍ୟ ଭାରତ ୫ ରନ୍‌ରେ ହାରିଯାଇଥିଲା। ଆହତ ଗୁରୁତର ହେବାରୁ ସେ ଟେଷ୍ଟ୍‌ ଶୃଙ୍ଖଳାରୁ ଓହରିଯାଇଛନ୍ତି। ପ୍ରଥମ ଟେଷ୍ଟ୍‌ ୧୪ ତାରିଖରୁ ଚଟୋଗ୍ରାମରେ ଖେଳାଯିବାକୁ ଥିଲାବେଳେ ‌ରୋହିତଙ୍କ ସ୍ଥାନ ସଂପ୍ରତି ବାଂଲାଦେଶ ଗସ୍ତରେ ଥିବା ଭାରତ-ଏ ଦଳର ଅଧିନାୟକ ଅଭିମନ୍ୟୁ ଈଶ୍ବରନ୍‌ ନେବାର ସମ୍ଭାବନା ସୃଷ୍ଟି ହୋଇଛି। ଈଶ୍ବରନ୍‌ ଚଳିତ ବାଂଲାଦେଶ-ଏ ବିପକ୍ଷ ଟେ‌ଷ୍ଟ୍‌ ଶୃଙ୍ଖଳାରେ ଲାଗ ଲାଗ ଶତକ ଜମାଇଛନ୍ତି। ସିଲ୍‌ହେଟ୍‌ରେ ଚାଲିଥିବା ଦ୍ବିତୀୟ-ଏ ଟେ‌ଷ୍ଟ୍‌ ଆସନ୍ତାକାଲି ଶେଷ ହେବାପରେ ଈଶ୍ବରନ୍‌ ବରିଷ୍ଠ ଦଳ ସହ ଯୋଗଦେବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.