ସୁବର୍ଣ୍ଣପୁର: ମଲା ଲୋକ କହିବ ସତ । ବିଶ୍ବାସ ହେଉନି ନା ? ହେଲେ ଏଥିପାଇଁ ମଶାଣିକୁ ତନ୍ନତନ୍ନ କରି ଖୋଜୁଛି ପୋଲିସ । କେଉଁଠି ସୌଦାମିନୀଙ୍କ ଶବ ଅଛି ? ମଶାଣି ଗାତରୁ ବାହାରିବା ପରେ ଶବ ବଖାଣିବ ତାର ମୃତ୍ୟୁ ରହସ୍ୟ । ଏଭଳି ଏକ ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଦେଇଛି । ହଁ ଆଜ୍ଞା ମରଶରୀରକୁ ମୂକସାକ୍ଷୀ କରାଯିବ, ନହେଲେ ଏତେ ବଡ ଷଡ଼ଯନ୍ତ୍ର ଉପରୁ ପରଦା ଉଠିବ କେମିତି ?
ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ରାଣୀସର୍ଡା ଗାଁରେ । ପ୍ରକୃତ ଘଟଣା କଣ ଆପଣଙ୍କ ଭଳି ଆମେ ମଧ୍ୟ ଜାଣିବାକୁ ଚେଷ୍ଟା କରିଥିଲୁ, ତେବେ ଆସନ୍ତୁ ଜାଣିବା ଘଟଣାଟି କଣ ଥିଲା ? ରାଣୀସର୍ଡା ଗାଁର ଅକ୍ଷୟ ନାଗଙ୍କ ୩୮ ବର୍ଷ ବୟସ୍କା ପତ୍ନୀ ସୌଦାମିନୀ ନାଗ ଗାଲବ୍ଲାଡର ଷ୍ଟୋନରେ ପୀଡ଼ିତ ହେବାରୁ ତାଙ୍କ ସ୍ଵାମୀ ଗତ ୨୪ ତାରିଖରେ ବଲାଙ୍ଗୀର ସହରର ଏକ ଘରୋଇ ଡାକ୍ତରଖାନାକୁ ଚିକିସା ପାଇଁ ନେଇଥିଲେ । ଅଭିଯୋଗ ଅନୁଯାୟୀ, ସେଠାରେ ତାଙ୍କର ଲାପ୍ରୋସ୍କୋପି ସାହାଯ୍ୟରେ ଅପରେସନ କରିବାକୁ କହି ସିଧାସଳଖ ଅସ୍ତ୍ରୋପ୍ରଚାର କରାଯାଇଥିଲା । ହେଲେ ସର୍ଜରୀ କରି ଭୁଲ ଚିକିତ୍ସା କରାଯାଇଥିଲା । ଫଳରେ ତାଙ୍କର ଯନ୍ତ୍ରଣା ହୋଇଥିଲା । ପରିସ୍ଥିତି ଅସମ୍ଭାଳ ହେବାରୁ ପରିବାର ଲୋକଙ୍କୁ ଡକାଇ ତୁରନ୍ତ ବରଗଡ଼ର ଏକ ଡାକ୍ତରଖାନାକୁ ନେବାପାଇଁ ସର୍ଜରୀ ଡାକ୍ତର ସୁବ୍ରତ ପଧାନ କହିଥିଲେ । ଡାକ୍ତର ନିଜେ ଆମ୍ୱୁଲାନ୍ସକୁ ଡାକି ପରିବାରଙ୍କ ହାତରେ ୫ ହଜାର ଟଙ୍କା ଦେଇ ସେଠାରୁ ରେଫର କରିଥିଲେ । କିନ୍ତୁ ଅସ୍ତ୍ରୋପ୍ରଚାର ଚାଲିଥିବା ସମୟରେ ସେଠାରେ ଡାକ୍ତରଙ୍କ ଭୁଲ ଚିକିସା ଯୋଗୁଁ ସୌଦାମିନୀଙ୍କ ମୃତ୍ୟୁ ହୋଇ ଯାଇଥିଲା । ତାଙ୍କର ଏହି ଅକାଳ ବିୟୋଗରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ପରେ ସେମାନେ ସୌଦାମିନୀଙ୍କ ଶବକୁ ରାଣୀସର୍ଡା ଆଣି ଗାଁ ଶ୍ମଶାନରେ ପୋତି ଦେଇଥିଲେ ।

ବର୍ତ୍ତମାନ ପରିବାର ପକ୍ଷରୁ ବଲାଙ୍ଗୀର ଥାନାରେ ଗୁରୁବାର ଦିନ ସର୍ଜରୀ ଡାକ୍ତର ସୁବ୍ରତ ପଧାନଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରାଯାଇଥିଲା । ଅଭିଯୋଗ ଆଧାରରେ ବଲାଙ୍ଗୀର ପୋଲିସ, ସୋନପୁର ପୋଲିସ ଏବଂ ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଅତିରିକ୍ତ ତହସିଲଦାର ତରଭା ଦୀପ୍ତିମୟୀ ଭୋଇଙ୍କ ଉପସ୍ଥିତିରେ ରାଣୀସର୍ଡାର ଗାଁ ଶ୍ମଶାନରୁ ମୃତଦେହକୁ ଖୋଳାଯାଇ ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ପଠାଯାଇଥିଲା ।
ସେଠାରେ ପୋଷ୍ଟମର୍ଟମ ହେବା ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ । ତେବେ ସୌଦାମିନୀଙ୍କ ମୃତ୍ୟୁ ଡାକ୍ତରଙ୍କ ଅବହେଳାରୁ ହୋଇଥିବାରୁ ସର୍ଜରୀ ଡାକ୍ତର ସୁବ୍ରତ ପଧାନ ଏବଂ ଅନ୍ୟ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ ।
ତେବେ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଡାକ୍ତର କାହିଁକି ଆମ୍ୱୁଲାନ୍ସ ଡାକି ରୋଗୀଙ୍କ ସମ୍ପର୍କୀୟଙ୍କୁ ପାଞ୍ଚ ହଜାର ଦେଇ ଅନ୍ୟ ହସ୍ପିଟାଲକୁ ପଠାଇଥିଲେ ? ସୌଦାମିନୀଙ୍କ ଅପରେସନରେ ପ୍ରକୃତରେ କଣ ହୋଇଥିଲା ? ତାଙ୍କ ମୃତ୍ୟୁର ନିର୍ଦ୍ଦିଷ୍ଟ କାରଣ କଣ ?
ଏସବୁ ସ୍ପଷ୍ଟ ହେବ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ । ତେବେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକ ଦାବି କରିଛନ୍ତି ।