କନ୍ଧମାଳ: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ଗାଁକୁ ପହଁଚି ପାରିଲାନି ୧୦୮ ଆମ୍ବୁଲାନ୍ସ । କାଦୁଅ ରାସ୍ତାରେ ବହୁ କଷ୍ଟରେ ଗର୍ଭବତୀଙ୍କୁ ନେଲେ ହସ୍ପିଟାଲ । ବିକାଶ ଏଠାରେ ବାଟବଣା । ବର୍ଷା ଋତୁ ଆସିବା ମାତ୍ରେ ନିତି ଦିନିଆ ରାସ୍ତାର ଅବସ୍ଥା ନ କହିବା ଭଲ । ଗାଁକୁ ନା ଅଛି ଭଲ ରାସ୍ତା ନା କୌଣସି ସୁବିଧା ।
ତେବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଏଭଳି ଚିତ୍ର । ରାସ୍ତା ନଥିବାରୁ ଫିରିଙ୍ଗିଆ ବ୍ଲକର ଅଧିକାଂଶ ଉପାନ୍ତ ଅଞ୍ଚଳ ହେଉ କି ଗ୍ରାମାଞ୍ଚଳମାନଙ୍କରେ ଗର୍ଭବତୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି । ଏଥି ପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗର୍ଭବତୀ, ଅସହାୟ ସମେତ ଜନସାଧାରଣ ।

ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ପାଣ୍ଡୁ ପଦର ଗାଁରେ ରାସ୍ତାଟିଏ ନଥିବାରୁ ଲୋକେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ପାଣ୍ଡୁପଦର ଗାଁର ତପୋବନ ମଲିକଙ୍କ ସ୍ତ୍ରୀ ତପସ୍ୱିନୀ କହଁରଙ୍କ ପ୍ରସବ ବେଦନା ହେବାରୁ ଫିରିଙ୍ଗିଆ ମେଡିକାଲକୁ ଯିବାପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ବର୍ଷାରେ ରାସ୍ତା କାଦୁଅ ପଚ ପଚ ହୋଇଥିବାରୁ ଆମ୍ବୁଲାନ୍ସ ପାଣ୍ଡୁପଦର ଗାଁକୁ ଯାଇପାରିନଥିଲା । ପ୍ରାୟ ଦୁଇ କିଲୋମିଟର ଦୂରରେ ଅଟକି ଯାଇଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଯିବାରେ ବିଳମ୍ବ ହେବା ସହ ରାସ୍ତା ନଥିବାରୁ ପରିବାର ଏବଂ ଗାଁ ଲୋକେ ଏକ ଅଟୋକୁ ଡାକି ଅଟୋରେ ଗର୍ଭବତୀଙ୍କୁ ବସାଇ କାଦୁଅ ରାସ୍ତାରେ ଅଟୋକୁ ଠେଲି ଠେଲି ଦୁଇ କିଲୋମିଟର ଦୂରକୁ ନେଉଥିବା ବେଳେ ବାଟରେ ଗର୍ଭବତୀ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଆଶା ଦିଦି ପୁଷ୍ପା ମଲିକ ନିଜେ ପିଲାକୁ ଧରି କିଛି ବାଟ ଚାଲି ଚାଲି ଆସିଥିଲେ । ଆଉ ତପସ୍ୱିନୀଙ୍କୁ ଅଟୋରେ ବସାଇ ଠେଲି ଠେଲି କାଦୁଅ ରାସ୍ତାରେ ଆଣୁଥିଲେ ଗାଁ ଲୋକେ । ଅସହାୟ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ତପସ୍ୱିନୀଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ବର୍ତ୍ତମାନ ମାଆ ଓ ନବଜାତ ଶିଶୁ କନ୍ୟା ସୁସ୍ଥ ଅଛନ୍ତି । ଅଙ୍ଗନୱାଡି ଦିଦି ଓ ଆଶା ଦିଦିଙ୍କ ସହଯୋଗ ଯୋଗୁଁ ଉଭୟ ମା’ ଓ ନବଜାତ ଝିଅ ଭଲ ଥିବା କହିଛନ୍ତି ତପସ୍ୱିନୀ । ତେବେ ଗାଁରେ ରାସ୍ତା ସମସ୍ୟା ନେଇ ଅନେକ ଥର ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ତେଣୁ ପ୍ରଶାସନ ନିକଟରେ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।