ଶେଷରେ ଆନ୍ଦୋଳନ ସ୍ଥଗିତ କଲେ ଓକିଲ

ସମ୍ବଲପୁର : ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି ଉଗ୍ର ଆନ୍ଦୋଳନ। ଗିରଫ ହେଲେ, ଲାଇସେନ୍ସ ସସ୍‌ପେଣ୍ଡ ବି ହେଲା। ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା, ହଙ୍ଗାମା ଘଟଣାରେ ୧୬ ଆଇନଜୀବୀଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଲା ସମ୍ବଲପୁର ପୁଲିସ୍। ଓକିଲଙ୍କ ଆନ୍ଦୋଳନକୁ ନେଇ ରାଜ୍ୟ ପୁଲିସ୍‌କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ୍ ଆଜି ଏଭଳି ଆକ୍ସନ ମୁଡ଼୍‌ରେ ଆସିଛି। ସେପଟେ ସୁପ୍ରିମକୋର୍ଟଙ୍କ ଛାଟ ପରେ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ମଧ୍ୟ ଆନ୍ଦୋଳନରେ ସଂପୃକ୍ତ ଆଉ ୧୪ ଜଣ ଓକିଲଙ୍କ ଲାଇସେନ୍ସ ୧୮ ମାସ ପାଇଁ ସସ୍‌ପେଣ୍ଡ କରିଛି। ଗତକାଲି ୨୯ ଜଣ ଓକିଲଙ୍କ ଲାଇସେନ୍ସ ସସ୍‌ପେଣ୍ଡ ହୋଇଥିଲା ବେଳେ ଆଜି ଆହୁରି କଡ଼ା ଆଭିମୁଖ୍ୟ ଦେଖାଇଛି ବାର କାଉନ୍‌ସିଲ ଅଫ୍ ଇଣ୍ଡିଆ(ବିସିଆଇ)। ସେପଟେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆନ୍ଦୋଳନ ସ୍ଥଗିତ ରଖିଥିବା ସୂଚନା ମିଳିଛି। ଆନ୍ଦୋଳନ ସ୍ଥଗିତ ରଖିବା ସହ କମିଟି ପକ୍ଷରୁ ସୁପ୍ରିମକୋର୍ଟ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ସମ୍ବଲପୁର ଏସ୍‌ପି କହିଛନ୍ତି ସିସିଟିଭି ଫୁଟେଜ୍‌କୁ ନେଇ ଆଗକୁ ଅନ୍ୟ ଅଭିଯୁକ୍ତମାନଙ୍କୁ ବି ଗିରଫ କରାଯିବ। ଅପରପକ୍ଷେ ଓକିଲଙ୍କ ଗିରଫଦାରି ପରେ ଉତ୍ତେଜନା ଆଶଙ୍କାରେ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ୨୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। କେବଳ କୋର୍ଟ ପରିସରରେ ଅଛନ୍ତି ୧୭ ପ୍ଲାଟୁନ୍ ଫୋର୍ସ। ସେହିପରି କଚେରି ଛକରେ ୧୪୪ ଧାରା ଜାରି କରାଯାଇଛି।

Leave A Reply

Your email address will not be published.