ଇସ୍ରୋ ବୁଲିବେ ରାଜ୍ୟର ୨୦ ଯୁବ ଜ୍ୟୋର୍ତିବିଜ୍ଞାନୀ

ଭୁବନେଶ୍ୱର : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର- ଇସ୍ରୋ ପରିଦର୍ଶନରେ ଯିବେ ରାଜ୍ୟର ୨୦ ଯୁବ ଜ୍ୟୋର୍ତିବିଜ୍ଞାନୀ  । ଟାଟା ଷ୍ଟିଲ୍ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ -ୟାଟସ ୨୦୨୨ ପ୍ରତିଯୋଗିତାରେ ବିଜେତା ଭାବେ ଚୟନ ହୋଇଛନ୍ତି ଏହି ୨୦ ଯୁବ ଜ୍ୟୋର୍ତିବିଜ୍ଞାନୀ। ପଠାଣି ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଉତ୍ସବରେ ଏହି ୨୦ ଯୁବ ଜ୍ୟୋର୍ତିବିଜ୍ଞାନୀମାନଙ୍କୁ ଟାଟା ଷ୍ଟିଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ସଂସ୍କରଣ ୟାଟସ ପ୍ରତିଯୋଗିତାରେ ରାଜ୍ୟର ୩୦ ଜିଲ୍ଲାରୁ ୭୭,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ଟାଇମ୍ ଟୁ ଅନ୍ରାଭେଲ ଦି ୟୁନିଭର୍ସ’ ବା ‘ବ୍ରହ୍ମାଣ୍ଡକୁ ଉନ୍ମୋଚନ କରିବାର ସମୟ’  । ଜ୍ୟୋତର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ୨୦୦୭ରୁ ଟାଟା ଷ୍ଟିଲ ପକ୍ଷରୁ ଆରମ୍ଭ ହୋଇଛି ୟାଟସ୍ ପ୍ରତିଯୋଗିତା । ଏ ସମ୍ପର୍କରେ ଯୁବ ଜ୍ୟୋର୍ତିବିଜ୍ଞାନୀ ଅନ୍ୱେଷା ମହାପାତ୍ର କହିଛନ୍ତି, ଏହି ପ୍ରତିଯୋଗିତାରେ ଭାଗ ନେଇ ବହୁତ କିଛି ଶିଖିବାର ସୁଯୋଗ ପାଇଲି। ପିଲାଟି ଦିନରୁ ଏ ଦିଗରେ ବହୁତ ଆଗ୍ରହ ଥିଲା। ବହୁ ବଡ଼ ବୈଜ୍ଞାନିକଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଲି। ଏ ସମ୍ପର୍କରେ ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି, ଯେଉଁମାନେ ଚଳିତ ବର୍ଷ ପ୍ରତିଯୋଗିତାରେ ସଫଳତା ପାଇପାରି ନାହାନ୍ତି, ସେମାନେ ନିଜ ଚେଷ୍ଟା ଅବ୍ୟାହତ ରଖିବା ଉଚିତ । ଏ ସମ୍ପର୍କରେ ଟାଟା ଷ୍ଟିଲର କର୍ପୋରେଟ୍‌ କମ୍ୟୁନିକେସନ ମୁଖ୍ୟ ସର୍ବେଶ କୁମାର କହିଛନ୍ତି, ଏହାଦ୍ୱାରା ପିଲାଙ୍କର ବିଜ୍ଞାନ ପ୍ରତି ଆଗ୍ରହ ବଢ଼ୁଛି। ଫଳରେ ଆଗକୁ ଯାଇ ସେମାନେ ଏହି କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିବେ। ଏହାଦ୍ୱାରା ସମାଜର ମଧ୍ୟ ମଙ୍ଗଳ ହେବ ।

Leave A Reply

Your email address will not be published.