ଡିସିପିଙ୍କୁ ଭେଟିବା ପରେ କ୍ଷୋଭ ପ୍ରକାଶ କଲେ ମୃତ ଆନନ୍ଦ ଟପୋଙ୍କ ପରିବାର

ଭୁବନେଶ୍ୱର: ଡିସିପିଙ୍କୁ ଭେଟିବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ମୃତ ଆନନ୍ଦ ଟପୋଙ୍କ ବାପା, ମା ଓ ଭାଇ। ନ୍ୟାୟ ମିଳିବା ଆଶା ହେଇ ଏ ପର୍ଯ୍ୟନ୍ତ ସଠିକ ଦିଗରେ ତଦନ୍ତ ଯିବାକୁ ଆଶା ରଖିଛନ୍ତି ପରିବାର ଲୋକେ। ହାଇକୋର୍ଟଙ୍କ ନିର୍ଦେଶ ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ଘଟଣାରେ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ପାହ୍ୟାର ଅଧିକାରୀ ହୋଉଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୁଲିସ ପଛଘୁଞ୍ଚା ଦେଉଛି। ଘଟଣା ଦିନ ବୀରେନ୍ଦ୍ର ଲାକ୍ରା ହଁ ଘରକୁ ଫୋନ କରି ଖବର ଦେଇଥିଲେ, କିନ୍ତୁ ଘଟଣା ପରଠୁ ସେ ଫେରାର ଥିଲେ ବୋଲି ଆନନ୍ଦ ଟପୋଙ୍କ ପରିବାର ପକ୍ଷରୁ କୁହାଯାଇଛି। ସୂଚନା ଥାଉକି, ଗତ ଫ୍ରେବୁଆରି ୧୨ତାରିଖରେ ଇନ୍ଫୋସିଟି ଥାନା ପୁଲିସ ‘ଆୟୁଷ ରେଡିୟମ ଫ୍ଲାଟ୍ ନଂ-୪୦୧’ରେ ଆନନ୍ଦଙ୍କର ଝୁଲନ୍ତା ମୃତଦେହ ଜବତ କରିଥିଲା। କିନ୍ତୁ ପରିବାର ଲୋକ ଆନନ୍ଦଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନଥିଲେ। ତାଙ୍କ ପୁଅକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଏ ସଂପର୍କରେ ଇନ୍ଫୋସିଟି ଥାନାରେ ବୀରେନ୍ଦ୍ରଙ୍କ ବିରୋଧରେ ହତ୍ୟା ଅଭିଯୋଗ ବି ଆଣିଥିଲେ। କିନ୍ତୁ ପୁଲିସ ତାଙ୍କ ଅଭିଯୋଗକୁ ଏତେଟା ଗୁରୁତ୍ବ ଦେଇ ନ ଥିଲା। ବୀରେନ୍ଦ୍ରଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିବା ପରିବର୍ତ୍ତେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଏ ସଂପର୍କରେ ପରିବାରଲୋକ ଡିସିପିଙ୍କୁ ମଧ୍ୟ ଭେଟିଥିଲେ। ତଥାପି ଏଥିରେ କୌଣସି ତତ୍ପରତା ଦେଖାଇ ନଥିଲା ପୁଲିସ। ଆନନ୍ଦଙ୍କ ପରିବାରଲୋକ ଆହୁରି ଅଭିଯୋଗ କରିଥିଲେ ଯେ ବୀରେନ୍ଦ୍ର ଜଣେ ପୁଲିସ୍ ଡିଏସ୍ପି ଓ ଅନ୍ତର୍ଜାତୀୟ ଖେଳାଳି। ତେଣୁ ପୁଲିସ ତାଙ୍କ ବିରୋଧରେ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

Leave A Reply

Your email address will not be published.