ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚୋରା ଚାଲାଣ ହେଉଥିଲା କଇଁଛ, ଜବତ କଲା ବନ ବିଭାଗ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି  ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ କଇଁଛ ଚୋରା  ଚାଲାଣ ବେଳେ ୨୦ରୁ ଅଧିକ କଇଁଛକୁ ଜବତ କରିଛି ବନ ବିଭାଗ। ଗତକାଲି ରାତିରେ ଏପରି ଘଟଣା ଘଟିଛି। ପୂର୍ବରୁ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ କଇଁଛ ବାହାରକୁ ଚୋରା ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ବନ ବିଭାଗ ନିକଟରେ ଅଭିଯୋଗ କରି ଆସୁଥିଲେ। ଗତକାଲି ମଧ୍ୟ କଇଁଛ ଚାଲାଣକୁ ରୋକିବା ପାଇଁ ସ୍ଥାନୀୟ ଲୋକେ ଯୋଜନା କରିଥିଲେ। ଏଥିପାଇଁ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଗେଟ୍‌ ପାଖରେ ଜଗି ରହିଥିଲେ। ଗତକାଲି ରାତି ପ୍ରାୟ ୯ଟା ସମୟରେ ଜଣେ ବ୍ୟକ୍ତି ଏକ ଜରି ବସ୍ତାରେ ୨୦ରୁ ଅଧିକ କଇଁଛ ପୁରାଇ ଲୁନା ଗାଡ଼ିରେ ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବାହାରିଥିଲେ। ଏହି ସମୟରେ  ସ୍ଥାନୀୟ ଲୋକେ ତାଙ୍କୁ ମାଡ଼ି ବସିଥିଲେ।  ହେଲେ କଇଁଛ ନେଇ ଯାଉଥିବା ବ୍ୟକ୍ତିଟି ଗାଡ଼ି ଓ କଇଁଛକୁ ଛାଡ଼ି ଦେଇ ସେଠାରୁ ଚମ୍ପଟ ମାରିଥିଲା। ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ଜରି ବସ୍ତାରୁ ୨୦ରୁ ଅଧିକ କଇଁଛ ଜବତ କରିବା ସହ ଗାଡ଼ିକୁ ଜବତ କରିଥିଲା।  ଲୁନାରେ କଇଁଛ ନେଇ ଯାଉଥିବା ବ୍ୟକ୍ତି ଜଣଙ୍କ ପାରଳାଖେମୁଣ୍ଡି  ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ଠିକା କର୍ମଚାରୀ ବୋଲି ଜଣାଯାଇଛି।

Leave A Reply

Your email address will not be published.